ହାଇଦ୍ରାବାଦ:ବିଶ୍ବ ବୟସ୍କ ଅନ୍ୟାୟ ବିରୋଧୀ ସଚେତନତା ଦିବସ ପ୍ରତିବର୍ଷ ଜୁନ୍ 15 ରେ ପାଳନ କରାଯାଏ। ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ବୃଦ୍ଧଙ୍କ ପ୍ରତି ହେଉଥିବା ଅତ୍ୟାଚାର ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା, ସେମାନଙ୍କୁ ସଚେତନ କରାଇବା ଏବଂ ଏହାକୁ ରୋକିବା ପାଇଁ ପଦକ୍ଷେପ ନେବା। ଆଜିକାଲି ଏପରି ଅନେକ ମାମଲା ଶୁଣାଯାଏ ଯେଉଁଠାରେ ଲୋକମାନେ ସେମାନଙ୍କର ବୃଦ୍ଧ ପିତାମାତାଙ୍କୁ ଭଲ ବ୍ୟବହାର କରନ୍ତି ନାହିଁ, ସେମାନଙ୍କୁ ବୃଦ୍ଧାବୃଦ୍ଧ ଘରକୁ ପଠାନ୍ତି ଏବଂ ଅନ୍ୟାନ୍ୟ ଉପାୟରେ ସେମାନଙ୍କୁ ହଇରାଣ କରିବା ସହ ନିର୍ଯାତନା ଦେଇଥାଆନ୍ତି। ଯାହା ଅତ୍ୟନ୍ତ ଦୁଃଖଦାୟକ ଅଟେ। ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଏଭଳି ଘଟଣା ସାମ୍ନାକୁ ଆସୁଛି।
ବିଶ୍ବ ବୟସ୍କ ଅନ୍ୟାୟ ବିରୋଧୀ ସଚେତନତା ଦିବସର ଇତିହାସ: ଏହି ଦିନଟି ପ୍ରଥମେ 15 ଜୁନ୍ 2011 ରେ ପାଳନ କରାଯାଇଥିଲା। ମିଳିତ ଜାତିସଂଘର ସାଧାରଣ ସଭା ଡିସେମ୍ବର 2011 ରେ ବିଶ୍ୱ ବୟସ୍କଙ୍କ ଅପବ୍ୟବହାର ସଚେତନତା ଦିବସକୁ ଜାତିସଂଘର ରିଜୋଲ୍ୟୁସନ୍ 66/127 ପାସ କରି ବୟସ୍କଙ୍କ ପ୍ରତି ଦୁର୍ବ୍ୟବହାର ରୋକିବା ପାଇଁ ଆନ୍ତର୍ଜାତୀୟ ନେଟୱାର୍କର ଅନୁରୋଧ ପରେ ସ୍ୱୀକୃତି ପ୍ରଦାନ କରିଥିଲା। ବୟସ୍କମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘରେ ବିଶ୍ବ ବୟସ୍କ ଅନ୍ୟାୟ ବିରୋଧୀ ସଚେତନତା ଦିବସ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଥିଲା।
ବୟସ୍କ ପ୍ରତି ଦୁର୍ବବ୍ୟବହାର ମାମଲା କମିବା ପରିବର୍ତ୍ତେ ବୃଦ୍ଧି ପାଉଛି: ମିଳିତ ଜାତିସଂଘ ଅନୁଯାୟୀ, ଯଦି ଦେଖାଯାଏ ତାହେଲେ ବିଶ୍ବରେ 6ଜଣ ବୃଦ୍ଧଙ୍କ ମଧ୍ୟରୁ ଜଣେ ଦୁର୍ବବ୍ୟବହାରର ଶିକାର ହେଉଛନ୍ତି। ଯାହାକି ଏକ ଦୁଃଖଦ ଏବଂ ଲଜ୍ଜାଜନକ ଘଟଣା ଅଟେ। ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଅନୁମାନ କରାଯାଉଛି ଯେ ନିକଟ ଭବିଷ୍ୟତରେ ହ୍ରାସ ହେବା ପରିବର୍ତ୍ତେ ଏଭଳି ମାମଲା ବୃଦ୍ଧି ପାଉଛି ଏବଂ ଆଗାମୀ ଦିନରେ ଏହି ସଂଖ୍ୟା ମଧ୍ୟ ବୃଦ୍ଧି ପାଇପାରେ। ଲୋକଙ୍କ ଜୀବନଶୈଳୀ ଏପରି ହୋଇଯାଇଛି ଯେ ସେମାନେ ନିଜ ଜୀବନରେ କାହାର ହସ୍ତକ୍ଷେପ ଚାହୁଁ ନାହାଁନ୍ତି। ଶାରୀରିକ, ମାନସିକ, ଆର୍ଥିକ ସ୍ତରରେ ପରିବର୍ତ୍ତନ ହେଉଥିବାରୁ ହିଂସାର ପରିମାଣ ମଧ୍ୟ ବୃଦ୍ଧି ପାଉଛି।