ଶିଶୁ ଯୌନ ଶୋଷଣର ବିଭିନ୍ନ ମାମଲା ପରେ ଆଜିକାଲି ଭାରତରେ ଯୌନ ଶିକ୍ଷାର ଲୋକପ୍ରିୟତା ବଢିଛି । ଯୌବନ ପ୍ରାପ୍ତି ପରେ, ଏପରିକି ତା' ପୂର୍ବରୁ ମଧ୍ୟ ପିଲାଙ୍କୁ ଯୌନ ଶିକ୍ଷା ଦେବା ଜରୁରୀ ହୋଇପଡିଛି । ଏ କ୍ଷେତ୍ରରେ ଶିକ୍ଷକ ଓ ଅଭିଭାବକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ପିଲାମାନେ ବିକାଶ ଓ ସାମର୍ଥ୍ୟର ଯେଉଁ ପର୍ଯ୍ୟାୟରେ ଥାଆନ୍ତୁ ନା କାହିଁକି, ସେମାନଙ୍କୁ ଯୌନତା ସମ୍ପର୍କରେ କୁହାଗଲେ, ଶୋଷଣ ଓ ଲଜ୍ଜାରୁ ନିରାପଦ ରହିପାରିବେ ।
ତେବେ ଦିବ୍ୟାଙ୍ଗ ପିଲାମାନଙ୍କୁ ଯୌନତା ସମ୍ପର୍କରେ ଶିକ୍ଷା ପ୍ରଦାନ କରିବାକୁ ହେଲେ ଅତିରିକ୍ତ ଓ ଅଭିନବ ଉଦ୍ୟମ କରିବାକୁ ପଡିବ । ମନସ୍ତତ୍ବବିତ୍ ସମୃଦ୍ଧି ପାଟକର୍ ଦିବ୍ୟାଙ୍ଗ ଶିଶୁଙ୍କୁ ଯୌନ ଶିକ୍ଷା ପାଇଁ ୬ ଟି କୌଶଳ ସମ୍ପର୍କରେ କହିଛନ୍ତି । ସେଗୁଡିକ ହେଲା:-
- ଦୃଶ୍ୟ ମାଧ୍ୟମର ସହାୟତା
- ରୋଲ୍ ପ୍ଲେ
- ମାର୍କିଂ ଓ ଲେବେଲିଂ
- ଭିଡିଓ
- ସାମାଜିକ କାହାଣୀ
- ଡାକ୍ତରୀ ଶବ୍ଦର ବ୍ୟବହାର
ନ୍ୟୁରୋଟିପିକାଲ୍ ବା ସ୍ବାଭାବିକ ପିଲାଙ୍କ ଭଳି ନ୍ୟୁରୋଡାଇଭର୍ସ ବା ଦିବ୍ୟାଙ୍ଗ ପିଲାମାନେ ସମାନ ଶାରୀରିକ, ମାନସିକ, ଭାବପ୍ରବଣତା ଓ ଯୌନଗତ ପରିବର୍ତ୍ତନ ଦେଇ ଗତି କରନ୍ତି । ତେଣୁ ଏହି ଶାରୀରିକ ପରିବର୍ତ୍ତନ ଓ ଯୌନତା ବାବଦରେ ବାପା ମା' ଓ ସମ୍ପର୍କୀୟମାନେ ଅଟିଷ୍ଟିକ ପିଲାମାନଙ୍କୁ ବିସ୍ତୃତ ଭାବେ ବୁଝାଇବା ଦରକାର ।
ସାଧାରଣ ପିଲାମାନଙ୍କ ପରି ଏହି ଧରଣର ପିଲାମାନଙ୍କଠାରେ ବି ସ୍ବାଭାବିକ ଭାବେ ଯୌନତା ଆସେ । ନିଜର ଶାରୀରିକ ପରିବର୍ତ୍ତନକୁ ସେମାନେ ବି ଅନୁଭବ କରନ୍ତି । ସେମାନେ ନିଜର ଗୁପ୍ତାଙ୍ଗକୁ ସ୍ପର୍ଶ କରିବା ସହ ସର୍ବସାଧାରଣରେ ଏହା ପ୍ରକାଶ କରନ୍ତି । ମାଆ ବାପାମାନେ ପିଲାମାନଙ୍କ ଭାବପ୍ରବଣତାକୁ ଆଘାତ ନ ଦେଇ ସେମାନଙ୍କ ଏଭଳି ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବା ଜରୁରୀ । ଦିବ୍ୟାଙ୍ଗ ପିଲାମାନଙ୍କୁ ସେମାନଙ୍କ ମାଆ-ବାପାମାନେ ଭଲ ଭାବେ ବୁଝାଇବା ଦରକାର ଯେ, ସେମାନେ କେଉଁ କଥା ବାହାରେ କହିବେ ଓ କେଉଁ କଥା ଘରେ କହିବେ । ସେମାନେ କେଉଁ ପ୍ରସଙ୍ଗ ଉପରେ ଆଲୋଚନା କରିବେ, ତାହା ବି ବୁଝାଇବା ଦରକାର ବୋଲି ମନସ୍ତତ୍ତ୍ବବିତ୍ ସମୃଦ୍ଧି ପାଟକର କହିଛନ୍ତି । ତାଙ୍କ ମତରେ ବିଭିନ୍ନ ଦୃଶ୍ୟର ଉଦାହରଣ ଦେଇ ବାରମ୍ବାର ମନେପକାଇଲେ ହିଁ ପିଲାମାନେ ସେମାନଙ୍କ ଯୌନତା ସମ୍ପର୍କରେ ବୁଝିପାରିବେ ।