ହାଇଦ୍ରାବାଦ:ଗର୍ଭାବସ୍ଥାର ପ୍ରାରମ୍ଭରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ବିଶେଷ କରି ବାନ୍ତି ସମସ୍ୟା ଦେଖାଯାଇଥାଏ । ଏହାକୁ ହାଇପରମେସିସ ଗ୍ରାଭିଡାରମ୍ (HG) କୁହାଯାଏ। ଏହା ଦ୍ବାରା ଶରୀରରେ ଓଜନ ଏବଂ ଜଳର ପରିମାଣ କମ୍ ହୋଇଯାଇଥାଏ । ତେବେ କେତେକ ମହିଳାଙ୍କ କ୍ଷେତ୍ରରେ ଅଧିକ ବାନ୍ତି ହେବା ଯୋଗୁଁ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଯାଇଥାଏ । ତେବେ ଏନେଇ ଅନେକ ଦେଶରେ ଅନୁସନ୍ଧାନ କରାଯାଇଥିଲା । ଏଥିପାଇଁ GDF15 ଦାୟୀ ବୋଲି ଅନେକ ଅଧ୍ୟୟନରେ ପ୍ରକାଶିତ ହୋଇଛି ।
ଏହା ମଧ୍ୟ ପଢନ୍ତୁ: Tips For Pregnant Women: ଗର୍ଭାବସ୍ଥାରେ ସକାଳେ ଖାଲି ପେଟରେ କଣ ଖାଇବା ଉଚିତ୍, ଜାଣନ୍ତି କି
ସାଧାରଣତଃ ଗର୍ଭାବସ୍ଥାରେ GDF15 ସ୍ତର ବୃଦ୍ଧି ପାଇଥାଏ । କିନ୍ତୁ ସମସ୍ତ ଗର୍ଭବତୀଙ୍କ କ୍ଷେତ୍ରରେ ଏହା ସମାନ ପ୍ରତିକ୍ରିୟା ଦେଖାଇନଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଯେଉଁମାନେ ଏହି ସମସ୍ୟା ପାଇଁ ଅପେକ୍ଷାକୃତ ଭାବେ କମ ଔଷଧ ଖାଉଛନ୍ତି ସେମାନଙ୍କ କ୍ଷେତ୍ରରେ ଏହାର ଲକ୍ଷଣ ଅଧିକ ଦେଖାଯାଇଥାଏ ବୋଲି କୁହାଯାଇଛି । ତେବେ ଏହାର ଚିକିତ୍ସା ପାଇଁ ଅନୁସନ୍ଧାନକାରୀମାନେ ଏକ ଚିକିତ୍ସା ପଦ୍ଧତି ମଧ୍ୟ ବାହାର କରିଛନ୍ତି । ଏନେଇ ମୂଷା ମାନଙ୍କ ଉପରେ ଏକ ପରୀକ୍ଷା କରାଯାଇଥିଲା । ଯେଉଁମାନେ ଗର୍ଭାବସ୍ଥା ପୂର୍ବରୁ GDF15 ସ୍ତର କମ୍ କରିବା ପାଇଁ ଔଷଧ ସେବନ କରୁଥିଲେ ସେମାନଙ୍କ ଠାରେ ଫଳାଫଳ ସଠିକ ଦେଖାଯାଇଥିଲା । ଏହି ଆଣ୍ଟିବଡି ଥେରାପୀ ହରମୋନ କ୍ଷରଣକୁ ରୋକିଥାଏ । ଫଳରେ ଗର୍ଭାବସ୍ଥାରେ ବାନ୍ତିକୁ ରୋକିବା ଏହା ଏକ ଉତ୍ତମ ଉପାୟ ବୋଲି କୁହାଯାଇଛି ।