ହାଇଦ୍ରାବାଦ: ଗତ କିଛି ଦଶନ୍ଧି ମଧ୍ୟରେ, ଖରାପ ଖାଦ୍ୟ, ଜୀବନଶୈଳୀ ଏବଂ ଅନ୍ୟାନ୍ୟ କାରଣରୁ, ସମଗ୍ର ବିଶ୍ୱରେ ଭିଟାମିନ-ଡି ଅଭାବରେ ପୀଡିତ ହେଉଛନ୍ତି ଅଧିକାଂଶ ଲୋକ । ଏଥିସହିତ, କୋଭିଡ-19 ସଂକ୍ରମଣ, ଭିଟାମିନ୍-ଡି'ର ଅଭାବ ଏବଂ ଏହା ଦ୍ବାରା ସୃଷ୍ଟି ହୋଇଥିବା ରୋଗ ସମସ୍ୟାକୁ ଆହୁରି ବଢାଇ ଦେଇଛି(Vitamin D deficiency increased in people post Covid) । ଏହି ପରିପ୍ରେକ୍ଷୀରେ କରାଯାଇଥିବା ଅନେକ ଗବେଷଣାରେ, ଏହା ନିଶ୍ଚିତ ହୋଇଛି ଯେ, କୋଭିଡ୍-19ର ପାର୍ଶ୍ୱ ପ୍ରତିକ୍ରିୟାରେ ଭିଟାମିନ୍-ଡି'ର ଅଭାବ ଦେଖାଯାଏ ।
ସାଧାରଣତଃ ଲୋକମାନେ ଭାବନ୍ତି ଯେ, ଶରୀରରେ କେବଳ ହାଡକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ -'D' ଆବଶ୍ୟକ । ଏହା ମଧ୍ୟ ସତ୍ୟ, ହାଡକୁ ସୁସ୍ଥ ରଖିବାରେ ଭିଟାମିନ୍ D ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, କିନ୍ତୁ ଭିଟାମିନ୍-ଡିର ଆବଶ୍ୟକତା ଏବଂ ଉପକାର କେବଳ ହାଡରେ ସୀମିତ ନୁହେଁ । ଶରୀରର ବିକାଶ, ରୋଗରୁ ରକ୍ଷା ପାଇବା ଏବଂ ଅନେକ ପ୍ରଣାଳୀର ସୁଗମ କାର୍ଯ୍ୟ ପାଇଁ ଶରୀରରେ ସଠିକ୍ ପରିମାଣର ଭିଟାମିନ୍ ଡି ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ସହିତ ଶରୀରରେ ଏହି ପୋଷକ ତତ୍ତ୍ୱର ଅଭାବ କେବଳ ଶାରୀରିକ ନୁହେଁ ଅନେକ ମାନସିକ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ ।
ଯଦିଓ ଭିଟାମିନ୍-ଡିର ଆଂଶିକ ଅଭାବ ସବୁ ବୟସର ଲୋକଙ୍କଠାରେ ଏକ ସାଧାରଣ ସମସ୍ୟା, କିନ୍ତୁ ଯଦି ଏହି ଅଭାବ ବଢିଯାଏ, ତେବେ ଏହା ବିଭିନ୍ନ ରୋଗ ବୃଦ୍ଧି ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇପାରେ । ସେହିପରି 2020 ମସିହାରେ, ଚିକାଗୋ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଭିଟାମିନ୍-ଡିରେ ଅଭାବ ଥିବା ପ୍ରାୟ 20% ଲୋକ କୋଭିଡ୍-19 ପଜିଟିଭ୍ ବୋଲି ଜଣାପଡିଛି । ଅନ୍ୟ କେତେକ ଅନୁସନ୍ଧାନରେ ମଧ୍ୟ ପ୍ରମାଣିତ ହୋଇଥିଲା ଯେ, ଭିଟାମିନ୍-ଡି ଅଭାବ ଥିବା ବ୍ୟକ୍ତି କୋରୋନା ସଂକ୍ରମଣ ହେଲେ ସମସ୍ୟା ଗମ୍ଭୀର ହୋଇପାରେ । ତେବେ ଏହାର କାରଣ କଣ ଏବଂ କିପରି ଚିକିତ୍ସା କରିବେ ଜାଣନ୍ତୁ...
କାରଣ
ଭିଟାମିନ୍-ଡି ଆମ ଶରୀରରେ କ୍ୟାଲସିୟମ୍, ଫସଫେଟ୍, ମ୍ୟାଗ୍ନେସିୟମ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ପରି ଖଣିଜ ପଦାର୍ଥର ଅବଶୋଷଣରେ ସାହାଯ୍ୟ କରେ । ଯେଉଁଥିପାଇଁ କେବଳ ଆମର ହାଡ ଏବଂ ମାଂସପେଶୀ ଶକ୍ତିଶାଳୀ ରହେ ନାହିଁ, ବରଂ ହୃଦୟ, କିଡନୀ ଏବଂ ଶରୀରର ଅନ୍ୟାନ୍ୟ ଅଙ୍ଗ ସହିତ ଜଡିତ ସମସ୍ୟାକୁ ମଧ୍ୟ ରୋକାଯାଇଥାଏ ।
ଏହା ବ୍ୟତୀତ ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ଏହା ଶରୀରରେ ଅନେକ ହରମୋନ୍ କାର୍ଯ୍ୟକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ କାର୍ଯ୍ୟ କରିଥାଏ । ଏପରି ସ୍ଥିତିରେ ଶରୀରରେ ଭିଟାମିନ୍-ଡିର ଅଭାବ କେବଳ ହାଡ ସହ ଜଡିତ ମୃଦୁ ଏବଂ ଜଟିଳ ରୋଗ ନୁହେଁ, ଅନ୍ୟାନ୍ୟ ଶାରୀରିକ ଏବଂ ବେଳେବେଳେ ସ୍ନାୟୁଗତ ରୋଗ କିମ୍ବା ସମସ୍ୟା ମଧ୍ୟ ସୃଷ୍ଟି କରିପାରେ ।