ହାଇଦ୍ରାବାଦ:ଆଜିର ସମୟରେ, ମୋବାଇଲ୍ ଫୋନ୍ ଲୋକମାନଙ୍କ ଦୈନନ୍ଦିନ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇସାରିଛି । କଥାବାର୍ତ୍ତାଠାରୁ ଆରମ୍ଭ କରି ମେଲ୍ କରିବା, ବିଭିନ୍ନ ସାମଗ୍ରୀ ଅର୍ଡର କରିବା ପର୍ଯ୍ୟନ୍ତ ସବୁ କାମ ଚୁଟ୍କିରେ ହୋଇପାରୁଛି । ମୋବାଇଲ୍ ଫୋନ୍ ବ୍ୟବହାର କରି, ଆପଣ ଟେକ୍ନୋଲୋଜି କ୍ଷେତ୍ରରେ ତ ଅପଡେଟ୍ ରହିପାରିବେ ହେଲେ ଏହାର ଅଧିକ ବ୍ୟବହାର ଶରୀର ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ । ଘଣ୍ଟା ଘଣ୍ଟା ମୋବାଇଲ୍ ଫୋନ୍ ବ୍ୟବହାର କରିବା ଦ୍ବାରା ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।
ମୋବାଇଲ୍ ଫୋନ୍ ବ୍ୟବହାର ହେତୁ ସ୍ୱାସ୍ଥ୍ୟ ପ୍ରତି ହେଉଥିବା ବିପଦ ସମ୍ପର୍କରେ ମୁମ୍ବାଇରେ ଏକ ଅଧ୍ୟୟନ କରାଯାଇଛି । ଏହି ଅଧ୍ୟୟନରେ ଜଡିତ ଡାକ୍ତରମାନେ କହିଛନ୍ତି, ଯେଉଁମାନେ ପ୍ରତିଦିନ 30 ମିନିଟରୁ ଅଧିକ ସମୟ ଧରି ମୋବାଇଲ ଫୋନ ବ୍ୟବହାର କରୁଛନ୍ତି, ତେବେ ସେମାନଙ୍କୁ ଉଚ୍ଚ ରକ୍ତଚାପ ହେବାର ସମସ୍ୟା ଦେଖାଯାଇଥାଏ । ଡାକ୍ତରମାନେ ଏହା କହିଛନ୍ତି ଯେ, ଅଧିକ ସମୟ ଧରି ମୋବାଇଲ ଫୋନ୍ ବ୍ୟବହାର କରିବା ଦ୍ବାରା ସେଥିରୁ ବାହାରୁଥିବା ରେଡିଓ ଫ୍ରିକ୍ବେନ୍ସି ଉଚ୍ଚ ରକ୍ତଚାପର ମୁଖ୍ୟ କାରଣ ହୋଇଥାଏ ।
ମୁମ୍ବାଇରେ ରହୁଥିବା ଲୋକଙ୍କ ମଧ୍ୟରେ ଏହି ସମସ୍ୟା ବହୁତ ଦେଖାଯାଉଛି ବୋଲି ଡାକ୍ତରମାନେ କହିଛନ୍ତି । ସେମାନଙ୍କ କହିବା ଅନୁସାରେ, ମୁମ୍ବାଇରେ ମୋବାଇଲ୍ ଫୋନ୍ ଲୋକଙ୍କ ସବୁଠାରୁ ବଡ଼ ଆବଶ୍ୟକତା ପାଲଟିଛି । କିନ୍ତୁ ଏହା ଜାଣିବା ଅତ୍ୟନ୍ତ ଜରୁରୀ ଯେ ଏହି କାରଣରୁ ସେମାନଙ୍କର ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ଦିଗରେ ପ୍ରଭାବିତ ହେଉଛି । ତେବେ ଆସନ୍ତୁ ଜାଣିବା ମୋବାଇଲ୍ ଫୋନ୍ ବ୍ୟବହାର ଦ୍ୱାରା କେଉଁ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ...
ଆଖି ସ୍ବାସ୍ଥ୍ୟ ଉପରେ ପ୍ରଭାବ: ମୋବାଇଲର ନିରନ୍ତର ବ୍ୟବହାର ଆଖି ଉପରେ ପ୍ରଭାବ ପକାଇପାରେ । ବେଳେବେଳେ ଆମେ ଏହାକୁ ଅନୁଭବ କରୁନାହୁଁ, କିନ୍ତୁ ଏହା ଆମ ଆଖିକୁ ମଧ୍ୟ କ୍ଷତି ପହଞ୍ଚାଇପାରେ । ଆମ ଆଖି ଶରୀରର ସବୁଠାରୁ ସମ୍ବେଦନଶୀଳ ଅଙ୍ଗ ମଧ୍ୟରୁ ଗୋଟିଏ ହେଉି ଆଖି । ମୋବାଇଲର ନୀଳ ସ୍କ୍ରିନ ଆଖିକୁ କ୍ଷତି ପହଞ୍ଚାଇଥାଏ ।