ହାଇଦ୍ରାବାଦ: ମହାରାଷ୍ଟ୍ର-ଓଡ଼ିଶା ସମେତ ଦେଶର ଅନେକ ରାଜ୍ୟରେ ସ୍କ୍ରବ୍ ଟାଇଫସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଏକ ପ୍ରକାର ଚିନ୍ତାର କାରଣ ସାଜିଛି । ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ର ଏବଂ ଓଡିଶାର ପ୍ରାୟ ତିନୋଟି ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଓଡିଶାରେ ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ର ଏବଂ ଓଡିଶା ସହିତ ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନକୁ ମଧ୍ୟ ସ୍କ୍ରବ୍ ଟାଇଫସ୍ ବିପଦ ବିଷୟରେ ସଚେତନ କରାଯାଇଛି ।
ଏନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ସ୍କ୍ରବ ଟାଇଫସ ସାଂଘାତିକ ହୋଇପାରେ । ସଂକ୍ରମିତ ହେବାପରେ ଉପଯୁକ୍ତ ସମୟରେ ଚିକିତ୍ସା ନମିଳିବା ଦ୍ବାରା ରୋଗୀଙ୍କ ଜୀବନ ମଧ୍ୟ ଯିବାର ସମ୍ଭାବନା ରହିଥିବା କଥା କୁହାଯାଇଛି । ବଢୁଥିବା ବିପଦ ବିଷୟରେ ଜନସାଧାରଣ ସଚେତନ ରହିବା ଆବଶ୍ୟକ ବୋଲି କୁହାଯାଇଛି ।
କଣ ଏହି ସ୍କ୍ରବ ଟାଇଫସ:ସ୍କ୍ରବ୍ ଟାଇଫସ୍, ଯାହାକୁ ବୁସ ଟାଇଫସ୍ ମଧ୍ୟ କୁହାଯାଏ । ଏହା ଏକ ସଂକ୍ରାମକ ରୋଗ ଯାହା ଓରିଏଣ୍ଟିଆ ସ୍ତୁସ୍ତୁଗାମୁସି ଜୀବାଣୁ ଦ୍ବାରା ହୋଇଥାଏ । ଏହି ରୋଗ ମୁଖ୍ୟତଃ ସଂକ୍ରମିତ ଚିଗର୍ (ଲାର୍ଭା ମାଇଟ୍) କାମୁଡ଼ିବା ଦ୍ୱାରା ମଣିଷକୁ ସଂକ୍ରମିତ କରିଥାଏ । ସଂକ୍ରମିତ ବ୍ୟକ୍ତି ଜ୍ୱର, ମୁଣ୍ଡବିନ୍ଧା, ଶରୀରରେ ଯନ୍ତ୍ରଣା ଏବଂ ବେଳେବେଳେ ଶରୀରରେ ନାଲି ରଙ୍ଗର ଘା ହୋଇ କ୍ଷତ ହୋଇପାରେ । ଯଦି ଏହି ରୋଗ ଠିକ୍ ସମୟରେ ଚିକିତ୍ସା କରା ନଯାଏ, ତେବେ ଏହାର ଗମ୍ଭୀର ରୂପ ନେଇବାର ଆଶଙ୍କା ରହିଥାଏ । ପ୍ରାୟତଃ ଏହା ଗ୍ରାମାଞ୍ଚଳରେ ଅଧିକ ଦେଖାଯାଏ କାରଣ ଗ୍ରାମାଞ୍ଚଳରେ ଚିଗରର ସଂସ୍ପର୍ଶରେ ଆସିବାର ଆଶଙ୍କା ଅଧିକ ରହିଥାଏ ।
ସ୍କ୍ରବ ଟାଇଫସର ଲକ୍ଷଣ: ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ସ୍କ୍ରବ୍ ଟାଇଫସର ଲକ୍ଷଣ ସାଧାରଣତଃ ସଂକ୍ରମିତ ଚିଗର୍ ବା କୀଟ କାମୁଡ଼ିବାର 10 ଦିନ ମଧ୍ୟରେ ଆରମ୍ଭ ହୋଇଥାଏ । ଲକ୍ଷଣର ଆରମ୍ଭରେ ଜ୍ୱର ଏବଂ ଥଣ୍ଡା, ମୁଣ୍ଡବିନ୍ଧା, ଶରୀର ଏବଂ ମାଂସପେଶୀ ଯନ୍ତ୍ରଣା ସହିତ ଚିଗର୍ କାମୁଡ଼ିବା ସ୍ଥାନରେ କଳା କିମ୍ବା ଘା ଭଳି କ୍ଷତ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ସ୍କ୍ରବ୍ ଟାଇଫସ୍ ଠିକ୍ ସମୟରେ ଚିକିତ୍ସା କରା ନଯାଏ, ତେବେ ଏହା ଅନେକ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କର ଅଙ୍ଗ ବିଫଳ ହେବା ସହିତ ଆଭ୍ୟନ୍ତରୀଣ ରକ୍ତସ୍ରାବ ହେବାର ସମ୍ଭାବନା ମଧ୍ୟ ରହିଥାଏ । ଯାହାକୁ ସାଘାଂତିକ ଅବସ୍ଥା ମଧ୍ୟ କୁହାଯାଏ ।