ୱାଶିଂଟନ: ଏଣିକି ଅବାଞ୍ଛିତ ଗର୍ଭଧାରଣକୁ ରୋକିବା ପାଇଁ ମହିଳାଙ୍କ କଷ୍ଟକୁ ଲାଘବ କରିବାରେ ସହାୟକ ହୋଇପାରିବେ ପୁରୁଷ । ଏଥିପାଇଁ ଆଉ କେବଳ ମହିଳାଙ୍କୁ ମେଡିସିନ୍ ଖାଇବାକୁ ପଡିନପାରେ । କାରଣ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ବଟିକା ପ୍ରସ୍ତୁତ କରୁଛନ୍ତି ବୈଜ୍ଞାନିକ । ମୂଷା ଉପରେ କରାଯାଇଥିବା ଏକ ପରୀକ୍ଷଣରେ ସଫଳ ହୋଇଛନ୍ତି ବୈଜ୍ଞାନିକ । ଯାହା ଦର୍ଶାଉଛି, ଯେ ଆଗକୁ ଅବାଞ୍ଛିତ ଗର୍ଭଧାରଣକୁ ରୋକିବା ପାଇଁ ପୁରୁଷମାନେ ଗର୍ଭ ନିରୋଧକ ବଟିକା ଖାଇପାରିବେ ।
ରିପୋର୍ଟ ଅନୁସାରେ, ଆମେରିକାର ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଔଷଧ ବିକଶିତ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ମୂଷାମାନଙ୍କ ଉପରେ ଏହି ପରୀକ୍ଷଣ କରାଯାଇଛି । ଶାରୀରିକ ସମ୍ପର୍କ ସ୍ଥାପନ ପୂର୍ବରୁ ମୂଷାମାନଙ୍କୁ ଏହି ଔଷଧ ଦିଆଯାଇଥିଲା ଏବଂ ପୂର୍ବରୁ, ସେହି ସମୟରେ ଏବଂ ପରେ ଶୁକ୍ରାଣୁର ଗତିବିଧି ଉପରେ ଲକ୍ଷ୍ୟ ରଖାଯାଇଥିଲା । ପରୀକ୍ଷଣରେ ଦେଖାଗଲା ଯେ, ଏହି ଗର୍ଭନିରୋଧକ ବଟିକା ଖାଇବା ଦ୍ବାରା ଶୁକ୍ରାଣୁ ସ୍ଥିର ରହୁଛି । ପରୀକ୍ଷଣ ସମୟରେ, ଏହାର ପ୍ରଭାବ ତିନି ଘଣ୍ଟା ପର୍ଯ୍ୟନ୍ତ ରହିଥିଲା ଏବଂ 24 ଘଣ୍ଟା ପରେ ପ୍ରଭାବ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା ।
ସବୁଠୁ ବଡ କଥା ହେଉଛି କି ଏହି ଗର୍ଭନିରୋଧକ ଔଷଧ କୌଣସି ହରମୋନ୍କୁ ନଷ୍ଟ କରେ ନାହିଁ, ଯାହାଦ୍ୱାରା ପୁରୁଷ ହରମୋନ୍ ଅଭାବର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ନାହିଁ । ଏହା ପରିବର୍ତ୍ତେ, ଏହି ଔଷଧ ସୋଲେବଲ୍ ଆଡେନାଇଲ୍ ସାଇକ୍ଲେସ୍(SAC) ନାମକ ଏକ ସେଲୁଲାର୍ ସିଗନାଲ୍ ପ୍ରୋଟିନ୍ ପ୍ରତିରୋଧ କରିଥିଲା, ଯାହା ଶୁକ୍ରାଣୁର ଗତିଶୀଳତା ଏବଂ ପରିପକ୍ୱତା ପାଇଁ ଜରୁରୀ ବୋଲି ରିପୋର୍ଟର ଦର୍ଶାଯାଇଛି । ଫେବୃଆରୀ 14, 2023 ରେ ନେଚର୍ କମ୍ୟୁନିକେସନ ଜର୍ଣ୍ଣାଲରେ ଏହି ଅନୁସନ୍ଧାନର ଫଳାଫଳ ପ୍ରକାଶ ପାଇଛି ।