ଓଡିଶା

odisha

By

Published : Apr 27, 2023, 11:41 AM IST

ETV Bharat / sukhibhava

ଯୌନାଙ୍ଗର ସ୍ୱଚ୍ଛତା ଅଭାବ ପୁରୁଷଙ୍କ କ୍ଷେତ୍ରରେ ବି କରିପାରେ ସମସ୍ୟା, ରୁହନ୍ତୁ ସତର୍କ

ସ୍ବଚ୍ଛତାରେ ଅବହେଳା କେବଳ ମହିଳା ନୁହେଁ ପୁରୁଷମାନଙ୍କ କ୍ଷେତ୍ରରେ ମଧ୍ୟ ଗମ୍ଭୀର ପ୍ରଭାବ ପକାଇପାରେ । ଯୌନାଙ୍ଗର ସ୍ୱଚ୍ଛତା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ କି କି ପରାମର୍ଶ ଦିଅନ୍ତି, ଜାଣନ୍ତୁ

genital hygiene
genital hygiene

ହାଇଦ୍ରାବାଦ: ପ୍ରତ୍ୟେକ ବୟସ କିମ୍ବା ବର୍ଗର ଲୋକଙ୍କ ପାଇଁ ଯୌନାଙ୍ଗ ସ୍ୱଚ୍ଛତା ନିହାତି ଜରୁରୀ । ଏହି ଅଭ୍ୟାସ ସାଧାରଣତଃ ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କ ଠାରେ କମ୍ ଦେଖାଯାଏ । ସ୍ବଚ୍ଛତା ଦିଗରେ ପୁରୁଷମାନେ ବିଶେଷ ଧ୍ୟାନ ଦିଅନ୍ତି ନାହିଁ । ଏହାର କାରଣ ଅଳସୁଆମି, ସମୟର ଅଭାବ କିମ୍ବା ସଚେତନତାର ଅଭାବ ଇତ୍ୟାଦି ହୋଇପାରେ । ମାତ୍ର ଏହି ଅବହେଳା ପୁରୁଷମାନଙ୍କ କ୍ଷେତ୍ରରେ ମଧ୍ୟ ଗମ୍ଭୀର ପ୍ରଭାବ ପକାଇପାରେ । ତେଣୁ ଯୌନାଙ୍ଗର ସ୍ୱଚ୍ଛତାକୁ ଆଦୌ ଅଣଦେଖା କରିବା ଉଚିତ୍ ନୁହେଁ । ଏନେଇ ଲକ୍ଷ୍ନୌର ଆଣ୍ଡ୍ରୋଲୋଜିଷ୍ଟ ଡକ୍ଟର ମନୋଜ ସିଂ କି କି ପରାମର୍ଶ ଦେଇଛନ୍ତି, ଜାଣନ୍ତୁ...

ଡାକ୍ତରଙ୍କ କହିବା ଅନୁସାରେ, ସାଧାରଣତଃ କିଛି ଲୋକ ଭାବନ୍ତି ଯେ, ଯୌନାଙ୍ଗ ସ୍ବଚ୍ଛତା ଅଭାବରୁ କେବଳ ମହିଳାମାନଙ୍କ କ୍ଷେତ୍ରରେ ସ୍ବାସ୍ଥ୍ୟ ସମସ୍ୟା ହେବାର ସମ୍ଭାବନା ଅଧିକ । କିନ୍ତୁ ପୁରୁଷମାନେ ମଧ୍ୟ ଏହି କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଯାହା ମଧ୍ୟରୁ କେତେକ ଗମ୍ଭୀର ହୋଇପାରେ । ପୁରୁଷମାନଙ୍କ ମଧ୍ୟରେ ଗୋଟିଏ ମୁଖ୍ୟ ସମସ୍ୟା ହେଉଛି ଲିଙ୍ଗର ଅଗ୍ରଭାଗରେ ସ୍ମେଗମା ଜମାଟ ବାନ୍ଧିବା । ସ୍ମେଗମା ପୁରୁଷଙ୍କ ଯୌନାଙ୍ଗର ଏକ ମୋଟା କ୍ରିମି ସିକ୍ରେସନ୍ ।

ଏହା ଏକ ରୋଗ ନୁହେଁ, ପ୍ରାକୃତିକ ପ୍ରକ୍ରିୟା । କିନ୍ତୁ ଯଦି ଏହାକୁ ନିୟମିତ ସଫା କରାନଯାଏ, ତେବେ ଏହା ଲିଙ୍ଗର ଚର୍ମ ଏବଂ ଏହାର ଉପର ଚର୍ମ ମଧ୍ୟରେ ଜମାଟ ବାନ୍ଧି କଠିନ ହୋଇଯାଏ । ଏହି କାରଣରୁ କେବଳ ସଂକ୍ରମଣ ନୁହେଁ, ଯନ୍ତ୍ରଣା, ଫୁଲା କିମ୍ବା ଅନ୍ୟାନ୍ୟ ସମସ୍ୟା ହେବାର ସମ୍ଭାବନା ବଢିଯାଏ । ଏପରିକି ଶାରୀରିକ ସମ୍ପର୍କ ସ୍ଥାପନ ସମୟରେ ସମସ୍ୟା ହୋଇପାରେ । ଡକ୍ଟର ମନୋଜଙ୍କ କହିବା ଅନୁସାରେ, ଡାକ୍ତରୀ ଚିକିତ୍ସା ମାଧ୍ୟମରେ ଏହାକୁ ଅପସାରଣ କରାଯାଏ । ଏଥିପାଇଁ ସଚେତନତାର ଆବଶ୍ୟକତା ରହିଛି ଏବଂ ସଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଯୌନାଙ୍ଗ ସଫା କରିବାର ସଠିକ୍ ଉପାୟ

ଡକ୍ଟର ମନୋଜ କହିଛନ୍ତି ଯେ, ପୁରୁଷଙ୍କ କ୍ଷେତ୍ରରେ ଏପରି ସମସ୍ୟା ଦେଖାଯିବା ସାଧାରଣ । ଏହାକୁ କୌଣସି ରୋଗ କିମ୍ବା ରୋଗର ଲକ୍ଷଣ ଭାବନ୍ତୁ ନାହିଁ । ମାତ୍ର ନିୟମିତ ଭାବେ ଅବହେଳା କରିବା ସ୍ବଚ୍ଛତା ପ୍ରତି ଧ୍ୟାନ ନେଦେବା କାରଣରୁ ବାଲାନାଇଟିସ୍ , ଫିମୋସିସ୍, ଜୀବାଣୁ ସଂକ୍ରମଣ କିମ୍ବା ଅନ୍ୟାନ୍ୟ ପ୍ରକାରର କ୍ରନିକ୍ ଫଙ୍ଗଲ୍ ସଂକ୍ରମଣ ଇତ୍ୟାଦି ଅନେକ ରୋଗ କିମ୍ବା ସମସ୍ୟା ସୃଷ୍ଟି କରିପାରେ । ଏଥିପାରିଁ ଦିନକୁ ଥରେ ଯୌନାଙ୍ଗକୁ ସଫା କରନ୍ତୁ । ସ୍ବଚ୍ଛତା ସମୟରେ ଯତ୍ନବାନ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସମସ୍ତ ପୁରୁଷ କେବଳ ସ୍ନାନ କରିବା ସମୟରେ ନୁହେଁ ବରଂ ପରିସ୍ରା କରିବା ପରେ ମଧ୍ୟ ସ୍ବଚ୍ଛ ପାଣିରେ ଶୌଚ ହେବା ଉଚିତ୍ । ଉଷୁମ ପାଣିର ମଧ୍ୟ ବ୍ୟବହାର କରିପାରିବେ ।

ଶୌଚରେ ସାବୁନ ମଧ୍ୟ ବ୍ୟବହାର କରିପାରିବେ । ବିଶେଷକରି ଗ୍ରୀଷ୍ମ ସମୟରେ, ଯୌନାଙ୍ଗ ସଫା କରିବା ପାଇଁ ସାବୁନ୍ ବ୍ୟବହାର କରିବା ଅତ୍ୟଧିକ ଝାଳ କାରଣରୁ ଉପୁଜୁଥିବା ସମସ୍ୟାକୁ ଏଡାଇ ପାରିବ । ମନେରଖନ୍ତୁ, ଅତ୍ୟଧିକ ରସାୟନରେ ପ୍ରସ୍ତୁତ ସାବୁନ ହାନିକାରକ ।

ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ଏବଂ ଯୌନାଙ୍ଗ ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ ।

ପୋଷାକର ସ୍ବଚ୍ଛତା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।

ଯୌନାଙ୍ଗ ସ୍ବଚ୍ଛତା ପାଇଁ କୌଣସି ପ୍ରଡକ୍ଟ ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ଛୋଟ ପିଲାମାନଙ୍କୁ ସ୍ବଚ୍ଛତା ବାବଦରେ ବୁଝାନ୍ତୁ ।

ଡକ୍ଟର ମନୋଜ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ଯୌନାଙ୍ଗ ନୁହେଁ, ସମ୍ପୂର୍ଣ୍ଣ ଶାରୀରିକ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପୁଅମାନଙ୍କୁ ଉଭୟ ଗୁରୁତ୍ୱ ଏବଂ ଆବଶ୍ୟକତା ବିଷୟରେ ଅବଗତ କରାଯିବା ଉଚିତ୍ । ଏଥିସହ ଯୋନାଙ୍ଗରେ ସମସ୍ୟା ଥିଲେ ପରିବାର ବର୍ଗ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରିବାରେ ଯେପରି କୁଣ୍ଠାବୋଧ ନ କରନ୍ତି ସେଥିପ୍ରତି ସଚେତନ କରାନ୍ତୁ । ଚିକିତ୍ସା ଦ୍ବାରା ଏପରି ସମସ୍ୟାକୁ ଦୂର କରାଯାଇପାରିବ । ତେଣୁ ଅବହେଳା କିମ୍ବା ଅଣଦେଖା କରନ୍ତୁ ନାହିଁ । ସଚେତନତା ହିଁ ସୁସ୍ଥତାର ମୂଳମନ୍ତ୍ର ।

ABOUT THE AUTHOR

...view details