ହାଇଦ୍ରାବାଦ:ଫୁସଫୁସ ହେଉଛି ଆମ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଅନ୍ୟତମ । ଫୁସଫୁସ ସମ୍ବନ୍ଧୀୟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଅକ୍ଟୋବର ମାସକୁ ଜାତୀୟ ଫୁସଫୁସ ମାସ ଭାବରେ ପାଳନ କରାଯାଏ । ଶରୀର ସୁସ୍ଥ ରହିବାକୁ ହେଲେ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ଆବଶ୍ୟକ ହୋଇଥାଏ । ଶରୀରର ସମସ୍ତ ଅଙ୍ଗକୁ ଅମ୍ଳଜାନର ସଠିକ୍ ସଞ୍ଚାଳନ ବଜାୟ ରଖିବା ପାଇଁ ଫୁସଫୁସ ହେଉଛି ଅତ୍ୟନ୍ତ ଜରୁରୀ ଅଙ୍ଗ । କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ, ପରିବେଶ ପ୍ରଦୂଷଣ ଏବଂ ଖାଦ୍ୟରେ ଅନିୟମିତତା କାରଣରୁ ମଧ୍ୟ ଅନେକ ପ୍ରକାରର ଫୁସଫୁସ ସମ୍ବନ୍ଧୀୟ ରୋଗ ସୃଷ୍ଟି ହେଉଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।
ଫୁସଫୁସ ଉପରେ କୋରୋନାର ପ୍ରଭାବ:କୋରୋନାରେ ଆକ୍ରାନ୍ତ ହେବା ପରେ ଏହାର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିଛି । ଅନେକ ପ୍ରକାର ପାର୍ଶ୍ବପ୍ରତିକ୍ରିୟା ଦେଖାଯାଉଥିବା ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସିଛି । ତେଣୁ ସୁସ୍ଥ ରହିବା ପାଇଁ ଚେଷ୍ଟା କରିବା ସହିତ ଖାଦ୍ୟରେ ଯଥାସମ୍ଭବ ପନିପରିବା ଏବଂ ଫଳ ଅନ୍ତର୍ଭୁକ୍ତ କରିବା ଉଚିତ୍ । ଯାହା ସ୍ବାସ୍ଥ୍ୟ ପାଇଁ ଲାଭ ପ୍ରମାଣିତ ହେବ । ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଆପଣଙ୍କୁ ଉପଯୁକ୍ତ ପୃଷ୍ଟିକର ଖାଦ୍ୟ ଖାଇବା ଉଚିତ ବୋଲି କୁହାଯାଇଛି ।
ଫୁସଫୁସ ପାଇଁ ଘାତକ ଧୂମପାନ: ଆମେରିକାନ ଲଙ୍ଗ ଆସୋସିଏସନର ବିଶେଷଜ୍ଞମାନେ ଏକ ରିପୋର୍ଟରେ କହିଛନ୍ତି ଯେ ଧୂମପାନ ଅଭ୍ୟାସ ଫୁସଫୁସ ପାଇଁ ସବୁଠାରୁ କ୍ଷତିକାରକ ହୋଇପାରେ । ଧୂମପାନ ହେତୁ ଫୁସଫୁସ କର୍କଟ ଏବଂ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପୁଲମୋନାରୀ ଡିଜିଜ୍ (COPD) ହେବାର ଆଶଙ୍କା ଅଧିକ ରହିଥାଏ । ସିଗାରେଟ ଧୂମପାନ ବାୟୁପଥକୁ କ୍ଷତି ପହଞ୍ଚାଇବାର ସମ୍ଭାବନାକୁ ବୃଦ୍ଧି କରିଥାଏ। ତେଣୁ ସଚେତନତା ଜରୁରୀ ବୋଲି କୁହାଯାଇଛି ।