ହାଇଦ୍ରାବାଦ: ବିଶେଷକରି ଦ୍ବିପହର ସମୟରେ ଖାଦ୍ୟ ଖାଇବା ପରେ ନିଦ ଲାଗିବା ଏକ ସାଧାରଣ କଥା । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ମଧ୍ୟାହ୍ନ ଭୋଜନ ପରେ ପାଚନତନ୍ତ୍ରରେ ରକ୍ତ ପ୍ରବାହ ବୃଦ୍ଧି ପାଇଥାଏ । ଯାହା ଦ୍ବାରା ମସ୍ତିଷ୍କକୁ ରକ୍ତ ଯୋଗାଣ ଅପେକ୍ଷାକୃତ କମ୍ ହୋଇପାରେ । ଫଳରେ ନିଦ୍ରା ଏବଂ ଥକାପଣ ବୃଦ୍ଧି ପାଇଥାଏ । ଏହା ବ୍ୟତୀତ, ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ, ଖାଇବା ପରେ ଶରୀରରେ ଗ୍ଲୁକୋଜର ମାତ୍ରା ବୃଦ୍ଧି ହେତୁ ଅଧିକ ନିଦ ଲାଗିଥାଏ। ଅନ୍ୟପକ୍ଷରେ ନିଦ ଲାଗିବା ଏକ ସାଧାରଣ ପ୍ରକ୍ରିୟା । କିଛି ଲୋକ ପ୍ରତିଦିନ ଅପରାହ୍ନରେ ଶୋଇଥାଆନ୍ତି । ତେବେ ଏହା ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପକାଏ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ରହିଛି ।
ନ୍ୟାସନାଲ ସ୍ଲିପ ଫାଉଣ୍ଡେସନ ଅନୁଯାୟୀ, ଯୁକ୍ତରାଷ୍ଟ୍ରର ପ୍ରାୟ ଏକ ତୃତୀୟାଂଶ ବୟସ୍କ ନିୟମିତ ଭାବରେ ଅପରାହ୍ନରେ ଶୋଇଥାଆନ୍ତି । କେତେକ ଗବେଷଣା ସୂଚିତ କରେ ଯେ, ପ୍ରତିଦିନ ଦ୍ବିପହରରେ ଶୋଇବା ଦ୍ବାରା ଶରୀର ଉପର ନକରାତ୍ମକ ପ୍ରଭାବ ପକାଇଥାଏ ।
ଦିନରେ ଶୋଇଲେ ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପଡେ: ହାଓ୍ବାର୍ଡ ହେଲଥର ରିପୋର୍ଟ ଅନୁସାରେ, ଦିନରେ ଅଳ୍ପ ସମୟ ଶୋଇବା ଦ୍ବାରା କୌଣସି କାମ କରିବା ପାଇଁ ଉତ୍ସାହ ଆସିଥାଏ । ଏହାସହ ସ୍ମୃତିଶକ୍ତି ବୃଦ୍ଧିରେ ଲାଭଦାୟକ ହୋଇପାରେ । କିନ୍ତୁ ଏହା ଅଭ୍ୟାସରେ ପରିଣତ ହେବା ଦ୍ବାରା ଅନେକ ଅସୁବିଧାର ସାମ୍ନା କରିବାକୁ ପଡିପାରେ ବୋଲି କୁହାଯାଇଛି । ତେଣୁ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଅନୁସନ୍ଧାନକାରୀ ଟିମ କହିଛନ୍ତି ଯେ, ଦିନରେ ଅଧିକ ସମୟ ଶୋଇବା ଦ୍ବାରା ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।