ହାଇଦ୍ରାବାଦ:ଋତୁସ୍ରାବ ଏକ ଜୈବିକ ପ୍ରକ୍ରିୟା । ନାରୀ ଜୀବନର ଏକ ବିଶେଷ ଅଂଶ ହେଉଛି ଋତୁସ୍ରାବ । ଯଦି ଜଣେ ମହିଳା ଋତୁସ୍ରାବ ହୋଇନଥାଏ, ତାହାଲେ ସେ ମାଆ ହେବା ସମ୍ଭବ ହୋଇନଥାଏ । ଆଜିକା ସମୟରେ ଋତୁସ୍ରାବକୁ ନେଇ କିଛି ମାତ୍ରାରେ ସାଧାରଣ ଜୀବନରେ ସଚେତନତା ସୃଷ୍ଟି ହୋଇଛି ସତ, କିନ୍ତୁ ଏବେ ବି ସମାଜରେ ଏହାକୁ ନେଇ ଅନେକ ଦ୍ବନ୍ଦ ଓ ଅନ୍ଧବିଶ୍ବାସ । ତେବେ ମେ 28କୁ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ଭାବେ ପାଳନ କରୁଛି ବିଶ୍ବ । ଏହାର ଉଦ୍ଦେଶ୍ୟ ହେଉଛି ଯେ ଋତୁସ୍ରାବକୁ ନେଇ ଥିବା ସମସ୍ତ ଅନ୍ଧବିଶ୍ବାସକୁ ଦୂର କରିବା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା । ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସତର୍କ କରାଇବା ।
ମାସିକ ଋତୁସ୍ରାବ ଦିବସର ଇତିହାସ:ଏହି ଦିବସଟି ପ୍ରଥମେ 2014 ମସିହାରେ ଜର୍ମାନର ଏକ NGO ସଂସ୍ଥା ୱାସ ୟୁନାଇଟେଡ(Wash United) ଦ୍ବାରା ଆରମ୍ଭ କରାଯାଇଥିଲା । ପ୍ରତ୍ୟେକ ମହିଳାଙ୍କ ମାସିକ ଋତୁସ୍ରାବ 28 ଦିନରେ ହେଉଥିବାରୁ ଏହି ଦିବସ ପାଳନ କରିବା ପାଇଁ 28 ତାରିଖକୁ ଧାର୍ଯ୍ୟ କରାଯାଇଥିଲା । ଋତୁସ୍ରାବ ସମୟରେ ସ୍ବଚ୍ଛତା ବଜାୟ ରଖିବା ଲାଗି ମହିଳାମାନଙ୍କ ସଚେତନ କରିବା ଲକ୍ଷ୍ୟରେ ଏହି ଦିବସ ବିଶ୍ବ ସ୍ତରରେ ପାଳନ କରାଯାଇଥିଲା ।
ମାସିକ ଋତୁସ୍ରାବ ଦିବସ କାହିଁକି ପାଳନ କରାଯାଏ: ଦୁନିଆର ଅନେକ ଦେଶରେ ଆଜି ବି ଲୋକମାନଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ହୋଇନାହିଁ । ଯେଉଁଥିପାଇଁ ଆଜି ମଧ୍ୟ ମହିଳାମାନେ ଖୋଲାଖୋଲି ଭାବେ କଥାବାର୍ତ୍ତା କରିବାକୁ ସକ୍ଷମ ନୁହଁନ୍ତି । ଲୋକଙ୍କ ମାନସିକତାକୁ ପରିବର୍ତ୍ତନ କରିବା ପାଇଁ ପ୍ରତିବର୍ଷ ମାସିକ ଋତୁସ୍ରାବ ଦିବସ ପାଳନ କରାଯାଏ । ଅନେକ ୟୁଟେରସ୍ କ୍ୟାନ୍ସର ପାଇଁ ଅସୁରକ୍ଷିତ ଋତୁସ୍ରାବ ଦାୟୀ । ଶିକ୍ଷାର ଅଭାବ କାରଣରୁ ମହିଳାମାନେ ଏନେଇ ସଚେତନ ନୁହଁନ୍ତି ତେଣୁ ସେମାନଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ସମସ୍ତ ଗାଁ ଓ ସହରରେ ଏହି ଦିବସ ପାଳନ କରାଯିବା ଉଚିତ । ମାନସିକ ଚିନ୍ତାଧାରାକୁ ପରିବର୍ତ୍ତନ କରି ସଚେତନ ହେବାର ଆବଶ୍ୟକତା ରହିଛି ।
ଏହା ମଧ୍ୟ ପଢନ୍ତୁ: international day to end obstetric fistula 2023: କଣ ପାଇଁ ହୁଏ ଏହି ରୋଗ? ଜାଣନ୍ତୁ କାରଣ