ନୂଆଦିଲ୍ଲୀ: କୋରୋନା ମୁକାବିଲା କ୍ଷେତ୍ରରେ ଭାରତକୁ ମିଳିଲା ଆଉ ଏକ ଅସ୍ତ୍ର । ଓମିକ୍ରୋନର ନୂଆ ଉପ-ପ୍ରକାର(Omocron Sub-Variant) BF.7 ଚିନ୍ତା ବଢାଇ ଥିବାବେଳେ ବିଶ୍ବର ପ୍ରଥମ ନାଜାଲ୍ ଭ୍ୟାକ୍ସିନ୍ ଭାବେ ଭାରତ ବାୟୋଟେକ(Bharat Biotech)ରେ ପ୍ରସ୍ତୁତ ଇନକୋଭାକକୁ ମିଳିଛି ବ୍ୟବହାର ଅନୁମତି । DCGIର ଅନୁମତି ପରେ ଭାରତ ସରକାର ଏହି ଭ୍ୟାକ୍ସିନ୍ ବ୍ୟବହାର ପାଇଁ ଦେଇଛନ୍ତି ମଞ୍ଜୁରୀ(India approves Nasal vaccine for Covid-19 amid fear around BF.7 variant) ।
ଏକ ରିପୋର୍ଟ ଅନୁସାରେ, ଆଜି(ଡିସେମ୍ବର 23)ରୁ କୋ-ୱିନ୍ ପୋର୍ଟାଲରେ ନାଜାଲ୍ ଭ୍ୟାକ୍ସିନ୍ ଉପଲବ୍ଧ ହେବ । କୋରୋନା ମୁକାବିଲା ପାଇଁ ନାଜାଲ୍ ଟିକା ଆଜି ଠାରୁ Covid-19 ଟୀକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ ଏବଂ ଏହା ପ୍ରଥମେ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେବ ବୋଲି ଜଣାପଡିଛି ।
ଏନେଇ ପ୍ରସାର ଭାରତୀ ସ୍ପଷ୍ଟ କରି ଏକ ଟ୍ବିଟରେ କହିଛି ଯେ, "ଭାରତ ବାୟୋଟେକ ନାଜାଲ୍ ଭ୍ୟାକ୍ସିନ୍ ବ୍ୟବହାରକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି । ଆଜିଠାରୁ CoWIN ଆପରେ ଏହି ଟିକା ଉପଲବ୍ଧ ।" ଏଥିରେ କୁହାଯାଇଛି ଯେ, ନାଜାଲ୍ ଟିକା ବର୍ତ୍ତମାନ କେବଳ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ।
ଇଞ୍ଜେକସନ ନୁହେଁ ନାକରେ ନେବେ ଟିକା
ତେବେ ଏହି ଟିକା ଉପଲବ୍ଧ ହେବା ପରେ ନିଡଲ୍ ବା ଛୁଞ୍ଚି ମାଧ୍ୟମରେ ଭ୍ୟାକ୍ସିନ ନେବାକୁ ଡରୁଥିବା ଲୋକଙ୍କ ପାଇଁ ଆଶ୍ବସ୍ତି ମିଳିଛି । କାରଣ ନାଜାଲ ଭ୍ୟାକ୍ସିନ୍ କେବଳ ନାକରେ ଡ୍ରପ୍ ଆକାରରେ ଦିଆଯିବ । ଏହା ବୁଷ୍ଟର୍ ଡୋଜ୍ ଭାବରେ ମଧ୍ୟ କାର୍ଯ୍ୟ କରିବ । ପୂର୍ବରୁ ଅନ୍ୟ କମ୍ପାନୀର ଭ୍ୟାକ୍ସିନ୍ ନେଇଥିଲେ ମଧ୍ୟ ନାଜାଲ ଭ୍ୟାକ୍ସିନକୁ ବୁଷ୍ଟର ଡୋଜ୍ ଭାବେ ନେଇ ପାରିବେ ।