ଓଡିଶା

odisha

ETV Bharat / sukhibhava

Fathers Day 2023: ବିଶ୍ବାସର ବରଗଛ, ତ୍ୟାଗ ବଳିଦାନର ପ୍ରତୀକ ବାପା

ଜୁନ ମାସର ତୃତୀୟ ରବିବାରକୁ ପିତୃ ଦିବସ ଭାବେ ପାଳନ କରାଯାଏ । ପିତୃ ଦିବସର ପ୍ରତିଷ୍ଠାତା ସୋନୋରା ଲୁଇସ୍ ଥିଲେ । ସୋନୋରାଙ୍କ ମାଆଙ୍କ ମୃତ୍ୟୁ ପରେ ତାଙ୍କ ପିତା ଉଭୟ ମାଆ ଏବଂ ପିତାଙ୍କ ପ୍ରେମ ଦେଇଥିଲେ । ଅଧିକ ପଢନ୍ତୁ

Fathers Day 2023
Fathers Day 2023

By

Published : Jun 18, 2023, 7:15 AM IST

ହାଇଦ୍ରବାଦ:ବାପା..ଅବର୍ଣ୍ଣନୀୟ ଶବ୍ଦ । ଶବ୍ଦରେ ପିତାଙ୍କ ସଂଜ୍ଞା ବର୍ଣ୍ଣନା କରିବା କଷ୍ଟକର ଗୋଟିଏ ସନ୍ତାନ ପାଇଁ ଏହି ନାମ ହିଁ ଯଥେଷ୍ଟ । ଆମେ ଇଶ୍ବରଙ୍କୁ ପରମ ପିତା ବୋଲି ମଧ୍ୟ କହିଛୁ, ଅର୍ଥାତ୍ ଯିଏ ସବୁଠାରୁ ଉପରେ ରହିଥାଆନ୍ତି ଆମେ ତାଙ୍କୁ ପିତା କହିଥାଉ । ପିତା ଏବଂ ପିଲାମାନଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ମଧୁର ଏବଂ ଭିନ୍ନ ଅଟେ । ଯେଉଁଠାରେ ପିଲାମାନେ ନିଜ ପିତାଙ୍କ ଗାଳିଗୁଲଜକୁ ଭୟ କରନ୍ତି, ତାଙ୍କ ପାଇଁ ଜୀବନ ମଧ୍ୟ ଦେଇପାରନ୍ତି । ଅନ୍ୟପଟେ କହିବାକୁ ଗଲେ ପିତା ହେଉଛନ୍ତି ଇଶ୍ବର ଯିଏ ପିଲାମାନଙ୍କର ସମସ୍ତ ଇଚ୍ଛା ଏବଂ ଆକାଂକ୍ଷାକୁ ପୂରଣ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରନ୍ତି । ବାପା ବାହାରୁ କଠିନ ଦେଖାଯାଆନ୍ତି, କିନ୍ତୁ ପିଲାମାନଙ୍କ ପାଇଁ ହୃଦୟରୁ ସେ ବହୁତ ନରମ ହୋଇଥାଆନ୍ତି । ସନ୍ତାନକୁ ମାଆ ୯ ମାସ ଗର୍ଭରେ ବୋହିଲା ବେଳେ ବାପା କିନ୍ତୁ ସନ୍ତାନର ବୋଝକୁ ବାହୁରେ ବଳଥିବା ପର୍ଯ୍ୟନ୍ତ ବୋହିଥାନ୍ତି ।

ଘର ପାଇଁ ଛାତ ଯେପରି, ପରିବାର ପାଇଁ ବାପା ସେପରି । କଥାରେ ଅଛି ବାପା ନାହିଁ ଯାହାର ଏ ଦୁନିଆ ତାପାଇଁ ଅନ୍ଧାର । ଯାହା ହାତ ଧରି ଚାଲି ଶିଖାନ୍ତି, ଯାହାଙ୍କ ଆଦର୍ଶକୁ ଦିଗଦର୍ଶନ କରି ବାଟ ଚାଲନ୍ତି ସେ ହେଉଛନ୍ତି ବାପା। ପରିବାରର ମେରୁଦଣ୍ଡ, ପରିବାରର ଛତ୍ରଛାୟା ହେଉଛନ୍ତି ବାପା । ଦୁଃଖର ସାଗରକୁ ଯିଏ ଆଖିତଳେ ଚାପି ରଖି ସନ୍ତାନର ସୁଖ ପାଇଁ ଯିଏ ଦିନରାତି କାମ କରନ୍ତି ସେ ହେଉଛନ୍ତି ପିତା । ସନ୍ତାନ ପାଇଁ ପ୍ରଥମ ପ୍ରେରଣାସ୍ରୋତ, ସୁରକ୍ଷା କବଚ, ଆତ୍ମବିଶ୍ୱାସର ବାହକ ହେଉଛନ୍ତି ପିତା । ଆଜିର ଦିନକୁ ବାପାଙ୍କ ପାଇଁ ସମର୍ପଣ କରାଯାଇଥାଏ।

ପିତୃ ଦିବସର ଇତିହାସ: 1907 ମସିହାରେ ଆମେରିକାରେ ପିତାଙ୍କ ଦିବସ ପ୍ରଥମେ ଅନୌପଚାରିକ ଭାବରେ ପାଳନ କରାଯାଇଥିଲା । ଆନୁଷ୍ଠାନିକ ଭାବରେ ଏହା 1910 ମସିହାରେ ଆରମ୍ଭ ହୋଇଥିଲା । ତଥାପି, 'ପିତୃ ଦିବସ' ପାଳନ କରିବାର ତାରିଖ ବିଷୟରେ ବିଶେଷଜ୍ଞଙ୍କ ମଧ୍ୟରେ ପାର୍ଥକ୍ୟ ଅଛି । ଐତିହାସିକଙ୍କ କହିବାନୁସାରେ, ସୋନୋରା ସ୍ମାର୍ଟ ଡୋଡ୍ ଦ୍ୱାରା ଏହି ଦିନ ଆରମ୍ଭ ହୋଇଥିଲା ।

ବାସ୍ତବରେ, ସୋନେରାଙ୍କ ମାଆ ଯେତେବେଳେ ଛୋଟ ଥିଲେ ସେତେବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ଏବଂ ପିତା ୱିଲିୟମ୍ ସ୍ମାର୍ଟ ତାଙ୍କୁ ଉଭୟ ମାଆ ଏବଂ ପିତାଙ୍କ ପ୍ରେମ ଦେଇଥିଲେ । କ୍ୟାପଟେନ ୱିଲିୟମ୍ ଜ୍ୟାକସନ ସ୍ମାର୍ଟଙ୍କ ଝିଅ ସୋନୋରା ତାଙ୍କ ପିତାଙ୍କ ବଳିଦାନ ଏବଂ ସଂଗ୍ରାମକୁ 5 ଜୁନ୍ 1909 ରେ ପିତା ଦିବସ ଭାବରେ ପାଳନ କରିଥିଲେ । ବାସ୍ତବରେ, ଜ୍ୟାକସନ ସ୍ମାର୍ଟଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ସେ ତାଙ୍କର 6ଟି ସନ୍ତାନର ଯତ୍ନ ନେଇଥିଲେ । ତା’ପରେ ସାନୋରା ଅନୁଭବ କଲେ ଯେ ପିତାମାନେ ବହୁତ ବଳିଦାନ ଦିଅନ୍ତି, ତେବେ ମାତୃ ଦିବସ ପରି ପିତାଙ୍କୁ ସମ୍ମାନ ଦେଇ ପିତାଙ୍କ ଦିବସ କାହିଁକି ପାଳନ କରିବେ ନାହିଁ ? ୱିଲିୟମ୍ ଜ୍ୟାକ୍ସନ୍ ସ୍ମାର୍ଟଙ୍କ ଜନ୍ମଦିନ ଜୁନ୍ 20ରେ ହୋଇଥିଲା ।

ପିତୃ ଦିବସ ପାଳନ ପାଇଁ ଏହି ଦିନ ମଞ୍ଜୁରୀ ମିଳିଥିଲା:ଏହା ପରେ ସୋନୋରା ସ୍ପୋକେନ୍ ମନ୍ତ୍ରୀସ୍ତରୀୟ ମିଳିତ ମଞ୍ଚକୁ ପିତାଙ୍କ ଦିବସକୁ ଜୁନ୍ 5ରେ ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ । 1924 ମସିହାରେ ପିତାଙ୍କ ଦିବସକୁ ଆନୁଷ୍ଠାନିକ ଭାବେ ମଞ୍ଜୁରି ଦିଆଯାଇଥିଲା । ସେତେବେଳେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ନୋଟିସ କରିଥିଲେ । ଏହା ପରେ, 1966 ମସିହାରେ ପିତାଙ୍କ ଦିବସର ସରକାରୀ ଛୁଟି ମଧ୍ୟ ପ୍ରତିବର୍ଷ ଜୁନ୍ ତୃତୀୟ ରବିବାରରେ ଘୋଷଣା କରାଯାଇଥିଲା ।

ପିତୃ ଦିବସର ଥିମ: ପିତୃ ଦିବସ 2023ର ବିଷୟବସ୍ତୁ ହେଉଛି 'ଆମ ଜୀବନର ସର୍ବଶ୍ରେଷ୍ଠ ହିରୋମାନଙ୍କୁ ପାଳନ କରିବା'। ଏହାର ଅର୍ଥ ଆମ ଜୀବନରେ ପିତାଙ୍କ ଗୁରୁତ୍ୱକୁ ଆଲୋକପାତ କରିବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details