ସିଡନୀ: ପୁଣି କୋଭିଡ ପାର୍ଶ୍ବ ପ୍ରତିକ୍ରିୟାକୁ ନେଇ ଆସିଲା ଆଉ ଏକ ତଥ୍ୟ । କୋଭିଡରେ ସାମାନ୍ୟ ସଂକ୍ରମଣ ମଧ୍ୟ ଶ୍ରବଣ ଶକ୍ତିକୁ ପ୍ରଭାବିତ କରିପାରେ । ଅଧ୍ୟୟନ ଅନୁସାରେ, ଯଦି ଜଣେ ବ୍ୟକ୍ତି କୋରୋନାରେ ସାମାନ୍ୟ ସଂକ୍ରମଣ ହୋଇଛନ୍ତି ତେବେ ତାଙ୍କର ହଠାତ୍ ବଧିରତା ଏବଂ ଶ୍ରବଣ ଶକ୍ତି ଯାଇପାରେ । ବ୍ରିଟିଶ୍ ମେଡିକାଲ ଜର୍ଣ୍ଣାଲ୍ କେସ୍ ରିପୋର୍ଟ୍ସରେ ଏହି ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି ।
ସଡନ୍ ସେନ୍ସୋରିନ୍ୟୁରିଆଲ୍ ହିଅରିଂ ଲସ୍(SSNHL) ହଠାତ୍ ବଧିର ହୋଇଯିବା ବା କାନକୁ ନ ଶୁଭିବାର ସମସ୍ୟା । ୟୁନିଭରସିଟି ଅଫ୍ ସାଉଥ୍ ଅଷ୍ଟ୍ରେଲିଆର ନର୍ସିଂ ଅଧ୍ୟାପକ କିମ୍ ଗିବସନ୍ କହିଛନ୍ତି ଯେ, କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ଏହି ଲକ୍ଷଣ ଖୁବ୍ କମ୍ ଦେଖାଯାଏ, ଏହାକୁ ଅନ୍ୟ ସାଧାରଣ ଲକ୍ଷଣ ଗୁଡିକ ମଧ୍ୟରେ ତାଲିକାଭୁକ୍ତ କରାଯାଏ ନାହିଁ । କିନ୍ତୁ ଅଧ୍ୟୟନରେ ଏହା ଦେଖାଗଲା ଯେ, 2022 ମସିହାରେ ସାମାନ୍ୟ କୋଭିଡ୍ ସଂକ୍ରମଣରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କର ପାଞ୍ଚ ସପ୍ତାହ ପରେ ଭର୍ଟିଗୋ ଏବଂ ଟିନ୍ନିଟସ୍ ରୋଗ ସହ ଗୋଟିଏ କାନରେ ତୀବ୍ର ଶ୍ରବଣ ଶକ୍ତି ହରାଇବାର ସମ୍ମୁଖୀନ ହୋଇଥିଲେ ।
ଭର୍ଟିଗୋ ହେଉଛି ଏକ ବ୍ୟାଧି, ଏହି ସମସ୍ୟା ହେଲେ ମୁଣ୍ଡ ବୁଲାଇବା ଭଳି ଅନୁଭବ ହୁଏ । କେବଳ ଏତିକି ନୁହେଁ, ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଲାଗେ ଯେ, ସେମାନେ ଘୂରି ବୁଲୁଛନ୍ତି ନଚେତ୍ ଦୁନିଆ ତାଙ୍କ ଚାରିପଟେ ବୁଲୁଛି । ସେହିପରି ଟିନ୍ନିଟସ୍ ହେଉଛି ଏକ କାନ ରୋଗ । ଏହି ରୋଗ ହେଲେ ବାହାରେ କୌଣସି ଶବ୍ଦ ନଥିଲେ ମଧ୍ୟ ଶରୀର ମଧ୍ୟରୁ କିଛି ଶୁଭିବା ଭଳି ଲାଗେ । ଏହା ସ୍ପାଇନାଲ୍ ଟ୍ୟୁମରର ବିକାଶ ମଧ୍ୟ ହୋଇପାରେ । ରକ୍ତ ପ୍ରବାହ ବୃଦ୍ଧି କାରଣରୁ ଜଣେ ବ୍ୟକ୍ତିଙ୍କୁ କିଛି ବାଜୁଥିବା ଭଳି ଶବ୍ଦ ଶୁଣିବାକୁ ମିଳେ । ଏହିପରି କାନ ବ୍ୟାଧି କୋଭିଡ ପାର୍ଶ୍ବ ପ୍ରତିକ୍ରିୟା କରିପାରେ ବୋଲି ଡାକ୍ତର କିମ୍ ଗିବସନ୍ କହିଛନ୍ତି ।