ହାଇଦ୍ରାବାଦ:ଦିନକୁ ଦିନ ଭାରତ ତଥା ବିଶ୍ବରେ ବୃଦ୍ଧି ପାଉଛି ମଧୁମେହ । ଏହି ରୋଗୀମାନଙ୍କୁ ଖାଦ୍ୟପେୟରେ ବିଶେଷ ଯତ୍ନ ନେବା ଆବଶ୍ୟକ ହୋଇଥାଏ । ତେବେ ସମସ୍ତେ ଜାଣନ୍ତି ଅଧିକ ଶର୍କରା ସେବନ ଦ୍ବାରା ମଧୁମେହ ହୋଇଥାଏ । ତେଣୁ ମଧୁମେହ ରୋଗୀଙ୍କୁ ଶର୍କରା ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଥାଏ । ତେବେ ଆପଣ ଜାଣିଛନ୍ତି କି ଲୁଣ ମଧ୍ୟ ମଧୁମେହର କାରଣ ହୋଇପାରେ । ନିକଟରେ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ କେବଳ ଚିନି ନୁହେଁ ଲୁଣ ଖାଇବା ଦ୍ୱାରା ଟାଇପ୍-୨ ମଧୁମେହ ହେବାର ଆଶଙ୍କା ବୃଦ୍ଧି ହୋଇଥାଏ । ଆମେରିକାର ତୁଲାନେ ୟୁନିଭରସିଟିରେ କରାଯାଇଥିବା ଏହି ଅଧ୍ୟୟନରେ ଜଣାପଡିଛି ଯେ ଖାଦ୍ୟରେ ଅଧିକ ଲୁଣ ସେବନ ଦ୍ବାରା ମଧୁମେହର ଆଶଙ୍କା ବୃଦ୍ଧି ହୋଇଥାଏ ।
ରିସର୍ଚ୍ଚରେ ଖୁଲାସା: ମାୟୋ କ୍ଲିନିକ୍ ପ୍ରୋସିଡିଙ୍ଗ୍ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ଅନୁସାରେ, 400,000ରୁ ଅଧିକ ବୟସ୍କଙ୍କ ଦୈନିକ ଖାଦ୍ୟଭ୍ୟାସକୁ ନେଇ ଅନୁଧ୍ୟାନ କରାଯାଇଥିଲା । ଖାଦ୍ୟରେ ଲୁଣର ମାତ୍ରା ଏବଂ ସେବନର ପଦ୍ଧତି ନେଇ ଅଧ୍ୟୟନ କରାଯାଇଥିଲା । ହାରାହାରି 11.8 ବର୍ଷର ଅନୁସନ୍ଧାନରେ ପ୍ରାୟ 13 ହଜାର ଲୋକଙ୍କ ଠାରେ ଟାଇପ୍ 2 ଡାଇବେଟିସ୍ ଦେଖାଯାଇଥିଲା । ଯେଉଁମାନେ କମ୍ ଲୁଣ ଖାଉଥିଲେ ସେମାନଙ୍କ ତୁଳନାରେ ଅଧିକ ଲୁଣ ଖାଉଥିବା ବ୍ୟକ୍ତିଙ୍କର ଟାଇପ୍-୨ ମଧୁମେହ ହେବାର ଆଶଙ୍କା 39 ପ୍ରତିଶତ ଅଧିକ ବୋଲି ଜଣାପଡିଥିଲା ।