ଓଡିଶା

odisha

ETV Bharat / sukhibhava

କୋଭିଡ ମହାମାରୀ ଓ ଲକ୍‌ଡାଉନ ଯୋଗୁଁ କେତେ ପ୍ରଭାବିତ ହୋଇଥିଲା ସ୍ୱାସ୍ଥ୍ୟ ସେବା ?

୨୦୨୦ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରିଆରେ ଆସିଥିଲା ଆଉ ଏକ ଉଦବେଗଜନକ ରିପୋର୍ଟ । ୨୦୧୯ ମସିହାରେ ଠିକ୍ ସମୟରେ ଚିକିତ୍ସା ହୋଇ ନ ପାରିବାରୁ ୫ ବର୍ଷରୁ କମ୍ ବୟସର ଆନୁମାନିକ ୫. ୨ ମିଲିୟନ ଶିଶୁ ମୃତ୍ୟୁମୁଖରେ ପଡିଥିଲେ । ଏହି ଶିଶୁମାନଙ୍କ ରୋଗ ସବୁ ଚିକିତ୍ସାଯୋଗ୍ୟ ଥିଲା । ଏହାଛଡା ୫ରୁ ୯ ବର୍ଷ ବୟସର ୫ଲକ୍ଷ ରୋଗାକ୍ରାନ୍ତ ଶିଶୁ ବି ୨୦୧୯ରେ ଚିକିତ୍ସା ଅଭାବରୁ ପ୍ରାଣ ହରାଇଥିଲେ ।

କୋଭିଡ ମହାମାରୀ ଓ ଲକ୍‌ଡାଉନ ଯୋଗୁଁ କେତେ ପ୍ରଭାବିତ ହୋଇଥିଲା ସ୍ୱାସ୍ଥ୍ୟ ସେବା?
କୋଭିଡ ମହାମାରୀ ଓ ଲକ୍‌ଡାଉନ ଯୋଗୁଁ କେତେ ପ୍ରଭାବିତ ହୋଇଥିଲା ସ୍ୱାସ୍ଥ୍ୟ ସେବା?

By

Published : Apr 3, 2021, 5:01 PM IST

କୋଭିଡ-୧୯ ମହାମାରୀ ବ୍ୟାପକ କ୍ଷତିସାଧନ କରିଥିଲା । ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଜୀବନ ତ ଯାଇଥିଲା, ଏହାର ପରୋକ୍ଷ ପ୍ରଭାବ ଅନ୍ୟ କିଛି କ୍ଷେତ୍ରରେ ବି ଅନୁଭୂତ ହୋଇଥିଲା । କୋରୋନା ମହାମାରୀ ଯୋଗୁଁ ସ୍ୱାସ୍ଥ୍ୟ ସେବା ଭଳି କିଛି ଅତ୍ୟାବଶ୍ୟକ ସେବା ପ୍ରଭାବିତ ହୋଇଥିଲା । ଗତବର୍ଷ କୋରୋନା ମାମଲାରେ ବୃଦ୍ଧି ଓ ଏହାକୁ ନିୟନ୍ତ୍ରଣ ପାଇଁ ଜାରି ହୋଇଥିବା ଲକଡାଉନ ଯୋଗୁଁ କୋରୋନା ସଂକ୍ରମିତଙ୍କ ଚିକିତ୍ସାକୁ ଦିଆଯାଇଥିଲା ଅଗ୍ରାଧିକାର । ସଂକ୍ରମିତ ହେବା ଭୟରେ ଅନ୍ୟ ରୋଗରେ ପୀଡିତ ଲୋକେ ହସପିଟାଲ ଯିବାକୁ ଭୟ କରିଥିଲେ କୋରୋନା ସଂକ୍ରମଣ ଡାକ୍ତରମାନଙ୍କୁ ବି ଭୟଭୀତ କରିଥିଲା । ପରିଣାମ ସ୍ୱରୂପ ସାଧାରଣ ସ୍ୱାସ୍ଥ୍ୟସେବା ଉପେକ୍ଷିତ ହୋଇପଡିଥିଲା ।

ତେବେ କୋଭିଡ ମହାମାରୀର ବହୁ ପୂର୍ବରୁ ମଧ୍ୟ ବିଶ୍ୱର ବିଭିନ୍ନ ଦେଶରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ରିପୋର୍ଟ ଜାରି କରିଥିଲା । ବିଶ୍ୱ ଜନସଂଖ୍ୟାର ଅଧା ଲୋକ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ବିଶ୍ୱବ୍ୟାଙ୍କର ମିଳିତ ରିପୋର୍ଟରେ କୁହାଯାଇଥିଲା । ଅନେକ ପରିବାର ସ୍ୱାସ୍ଥ୍ୟସେବା ପାଇଁ ନିଜ ପକେଟରୁ ହିଁ ଖର୍ଚ୍ଚ କରୁଥିବାରୁ ସେମାନେ ଦାରିଦ୍ର‌୍ୟତା ମଧ୍ୟକୁ ଠେଲି ହୋଇଯାଉଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଥିଲା । ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ସୁଲଭ ଓ ସୁଗମ ନ ଥିବା ନିଶ୍ଚିତ ଭାବେ ତାହା ଉଦବେଗର ବିଷୟ ।

୨୦୨୦ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରିଆରେ ଆସିଥିଲା ଆଉ ଏକ ଉଦବେଗଜନକ ରିପୋର୍ଟ । ୨୦୧୯ ମସିହାରେ ଠିକ୍ ସମୟରେ ଚିକିତ୍ସା ହୋଇ ନ ପାରିବାରୁ ୫ ବର୍ଷରୁ କମ୍ ବୟସର ଆନୁମାନିକ ୫. ୨ ମିଲିୟନ ଶିଶୁ ମୃତ୍ୟୁମୁଖରେ ପଡିଥିଲେ । ଏହି ଶିଶୁମାନଙ୍କ ରୋଗ ସବୁ ଚିକିତ୍ସାଯୋଗ୍ୟ ଥିଲା । ଏହାଛଡା ୫ରୁ ୯ ବର୍ଷ ବୟସର ୫ଲକ୍ଷ ରୋଗାକ୍ରାନ୍ତ ଶିଶୁ ବି ୨୦୧୯ରେ ଚିକିତ୍ସା ଅଭାବରୁ ପ୍ରାଣ ହରାଇଥିଲେ ।

ସମୟ ପୂର୍ବରୁ ଜନ୍ମ ସଂପର୍କିତ ଜଟିଳତା, ବାର୍ଥ ଆସଫିକ୍ସିଆ/ଟ୍ରମା, ନିମୋନିଆ, କଂଜେନିଟାଲ ଆନାମୋଲିସ, ଡାଇରିଆ ଓ ମ୍ୟାଲେରିଆ ଥିଲା ୫ ବର୍ଷରୁ କମ ବୟସ୍କ ଶିଶୁଙ୍କ ମୃତ୍ୟୁର କାରଣ । ଏସବୁ ରୋଗର ପ୍ରତିକାର କରାଯାଇପାରିଥାଆନ୍ତା । କାରଣ ଏସବୁ ରୋଗର ଚିକିତ୍ସା ହୋଇପପାରିଥାଆନ୍ତା । କିନ୍ତୁ ସହଜ, ସୁଲଭ ଚିକିତ୍ସା ଓ ଟିକାକରଣ ଅଭାବରୁ ଶିଶୁମାନେ ଅକାଳରେ ପ୍ରାଣ ହରାଇଥିଲେ । ୫ରୁ ୯ ବର୍ଷ ବୟସର ପିଲାଙ୍କ ମଧ୍ୟରେ ସଂକ୍ରାମକ ରୋଗଜନିତ ମୃତ୍ୟୁହାର ୧୯୯୦ ମସିହା ପରଠାରୁ ଯଥେଷ୍ଟ ହ୍ରାସ ପାଇଛି । ଏହି ବୟସ ବର୍ଗର ଶିଶୁମାନଙ୍କ ମୃତ୍ୟୁର ପ୍ରମୁଖ କାରଣ ହେଉଛି ପାଣିରେ ବୁଡିବା ଓ ସଡକ ଦୁର୍ଘଟଣା ।

ସାରାବିଶ୍ୱରେ ଅନେକ ଲୋକ ଟିକାକରଣ, ଅଣ ସଂକ୍ରାମକ ରୋଗର ଚିହ୍ନଟ ଓ ଚିକିତ୍ସା ଓ ମାନସିକ ସ୍ୱାସ୍ଥ୍ୟସେବା, ପରିବାର ନିୟୋଜନ ଓ ଗର୍ଭ ନିରୋଧନ ଆଦିରୁ ବି ବଂଚିତ ହୋଇଛନ୍ତି ।

ମହାମାରୀ ବେଳେ ପ୍ରଭାବିତ ହୋଇଥିଲା ମାତୃ ସ୍ୱାସ୍ଥ୍ୟ ସେବା

ଗର୍ଭବତୀଙ୍କ ପାଇଁ ୪ଟି ଆଂଟେନାଟାଲ ଚେକଅପ୍ ଅତ୍ୟାବଶ୍ୟକ ବୋଲି ଭାରତର ଜାତୀୟ ସ୍ୱାସ୍ଥ୍ୟ ମିଶନର ଗାଇଡଲାଇନରେ ଉଲ୍ଲେଖ କରାଯାଇଛି । ଏକ ସୁସ୍ଥ ମାଆ ଓ ଛୁଆ ପାଇଁ ଏହା ଜରୁରୀ । ଡେଲିଭରି ବେଳେ ବି ଉଭୟ ମାଆ ଓ ଶିଶୁଙ୍କ ପାଇଁ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଇଛି । କିନ୍ତପ ୨୦୨୦ରେ ଆମଦେଶରେ କୋରୋନା ଲକଡାଉନ ଯୋଗୁଁ ୪ ଏଏନସି ଗ୍ରହଣ କରୁଥିବା ମହିଳାଙ୍କ ସଂଖ୍ୟା ଜାନୁଆରୀରୁ ଜୁନ୍ ମଧ୍ୟରେ ୭ ଦଶମିକ ୭ ପ୍ରତିଶତ ହ୍ରାସ ପାଇଥିଲା । ୨୦୧୯ ଅପେକ୍ଷା କମ୍ ମହିଳା ହିଁ ୪ ଏଏନସି ଗ୍ରହଣ କରିଥିଲେ । ତେବେ, ଲକଡାଉନ କୋହଳ ହେଲା ପରେ ଏହି ସଂଖ୍ୟା ବଢିଥିଲା । କିନ୍ତୁ ପ୍ରାକ୍ କୋଭିଡ ସମୟର ସଂଖ୍ୟାଠାରୁ ଏହା ଯଥେଷ୍ଟ କମ୍ ।

୨୦୨୦ ମସିହାର ପ୍ରଥମ ୬ ମାସରେ ସଂସ୍ଥାଗତ ସନ୍ତାନ ପ୍ରସବ ସଂଖ୍ୟା ମଧ୍ୟ ହ୍ରାସ ହୋଇଥିଲା । ୨୦୨୦ ମସିହାର ପ୍ରଥମ ୬ ମାସରେ ଏହି ସଂଖ୍ୟା ୯ ଦଶମିକ ୫୯ ଲକ୍ଷ କମିଥିଲା । କିନ୍ତୁ ୨୦୧୯ ମସିହାରେ ଏହି ସମୟ ମଧ୍ୟରେ ସଂସ୍ଥାଗତ ଡେଲିଭେରି ବେଶ୍ ଅଧିକ ଥିଲା । କୋରୋନା ସଂକ୍ରମଣ ଆଶଙ୍କାରେ ଅଧିକାଂଶ ମହିଳା ହସପିଟାଲ ବାହାରେ ହିଁ ସନ୍ତାନ ପ୍ରସବ କରିବା ପାଇଁ ପସନ୍ଦ କରିଥିଲେ । କାରଣ ସେତେବେଳେ କୋରୋନା ଭାଇରସ ସଂପର୍କରେ ବିଶେଷ କିଛି ଜଣାପଡି ନ ଥିଲା ।

ଶିଶୁଙ୍କ ମଧ୍ୟରେ ଟିକାକରଣ

ଏକ ନିର୍ଦ୍ଦିଷ୍ଟ ବୟସସୀମାରେ ପିଲାମାନଙ୍କୁ କିଛି ରୋଗର ଟିକା ନେବା ଜରୁରୀ ହୋଇଥାଏ । ମିଳିମିଳା,ଡିପିିଟି, ରୁବେଲା ଭଳି ଜୀବନ ରକ୍ଷାକାରୀ ଟିକା ନେବାକୁ ପଡିଥାଏ । ତେବେ, ମହାମାରୀ ଯୋଗୁଁ ସାରାବିଶ୍ୱରେ ଏସବୁ ଟିକାକରଣର ସଂଖ୍ୟା ହ୍ରାସ ପାଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ୟୁନିସେଫ ୨୦୨୦ରେ ଆଶଙ୍କା ପ୍ରକାଶ କରିଥିଲେ । ଟିକାକରଣରେ ବିଳମ୍ବ ବା ଏହା ପ୍ରଭାବିତ ହେଲେ ଶିଶୁର ସ୍ୱାସ୍ଥ୍ୟ ବିଗିଡିଯିବା ଆଶଙ୍କା ରହେ । ୨୦୨୦ ମସିହାର ପ୍ରଥମାର୍ଦ୍ଧରେ ବିସିଜି ଟିକାକରଣ ପାଖାପାଖି ୧୨ ଦଶମିକ ୮ ଲକ୍ଷ ହ୍ରାସ ପାଇଥିଲା । କିନ୍ତୁ ଆଶ୍ଚର‌୍ୟ୍ୟଜନକ ଭାବେ ରୋଟାଭାଇରସ ଟିକାକରଣ ସଂଖ୍ୟା ୨୦୨୦ ମସିହାର ପ୍ରଥମାର୍ଦ୍ଧରେ ୭୧ ପ୍ରତିଶତ ବୃଦ୍ଧି ପାଇଥିଲା ।

ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା

କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ଲୋକେ ମାରାତ୍ମକ ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ଭୟରେ ଘରେ ରହି ହିଁ ଚିକିତ୍ସିତ ହେବ।। ପସନ୍ଦ କଲେ । ସେମାନେ ନର୍ସିଂ ହୋମ ବା ହସପିଟାଲ ଯିବାକୁ ଚାହିଁଲେ ନାହିଁ । ଫଳରେ ହସପିଟାଲରେ ରୋଗୀଙ୍କ ସଂଖ୍ୟା ସହ ସର୍ଜରୀ ବି କମ୍ ହେଲା । ଲକଡାଉନରେ ଉଭୟ ଇନପେସେଂଟ୍ ଓ ଆଉଟପେସେଂଟ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେଲା ।

ଜରୁରୀକାଳୀନ ସେବା

ଗତବର୍ଷ ଲକଡାଉନ ବେଳେ ଜରୁରୀକାଳୀନ ସେବା ସଂଖ୍ୟାରେ ହ୍ରାସ କରାଯାଇଥିଲା । କୋରୋନା ଭାଇରସ୍ ସଂସ୍ପର୍ଶରେ ଆସିବା ଆଶଙ୍କାରେ ହସପିଟାଲଗୁଡି ଜରୁରୀକାଳୀନ ସେବା ଯୋଗାଇକୁ କୁଣ୍ଠାବୋଧ କରୁଥିବା ରିପୋର୍ଟ ଆସିଥିଲା । ଏହାଛଡା ହସପିଟାଲ ବେଡ୍ ଓ ଡାକ୍ତରୀ ସମ୍ବଳ ସବୁ କୋଭିଡ-୧୯ ରୋଗୀଙ୍କ ପାଇଁ ସଂରକ୍ଷିତ ରଖାଯାଇଥିଲା । ଫଳରେ ଅନ୍ୟ ରୋଗଗୁଡିକ ପାଇଁ ଜରୁୁରୀକାଳୀନ ସେବା ଯୋଗାଇବା କଷ୍ଟକର ହୋଇପଡିଲା । ଏଭଳି ସ୍ଥିତି ସୃଷ୍ଟି କରିଥିଲା ଏକ ମସ୍ତବଡ ସ୍ୱାସ୍ଥ୍ୟଗତ ଆହ୍ୱାନ । ସେରେବ୍ରୋଭାସକ୍ୟୁଲାର ରୋଗ ଓ ଆକ୍ୟୁଟ କାର୍ଡିଆକ୍ ଇମର୍ଜେନସୀ ପାଇଁ ଜରୁରୀକାଳୀନ ସେବାରେ ୧୪ ପ୍ରତିଶତ ହ୍ରାସ ହୋଇଥିଲା ।

ଦେଖିବାକୁ ଗଲେ ଗତବର୍ଷର କୋଭିଡ ମହାମାରୀ ଓ ଜାରି ହୋଇଥିବା ଲକଡାଉନ ସାରା ବିଶ୍ୱର ସ୍ୱାସ୍ଥ୍ୟ ସୁବିଧା ପ୍ରତି ବଡଧରଣର ଆହ୍ୱାନ ସୃଷ୍ଟି କରିଥିଲା । କେବଳ କୋଭିଡ-୧୯ ରୋଗ ଓ ଏହାର ମୁକାବିଲା ଉପରେ ସବୁ ଧ୍ୟାନ କେନ୍ଦ୍ରୀଭୂତ ହେଲା । ତେଣୁ ଅନ୍ୟ ସବୁ ରୋଗର ଚିକିତ୍ସା ପ୍ରଭାବିତ ହେଲା । କେବଳ କୋଭିଡ ହେଲେ ହିଁ ହସପିଟାଲ ଆସିବାକୁ ଲୋକଙ୍କୁ କୁହାଗଲା । ଟିକାକରଣ ଓ ପୋଷଣ କାର‌୍ୟ୍ୟକ୍ରମ ବାଧାପ୍ରାପ୍ତ ହୋଇଥିଲା । ବର୍ତ୍ତମାନ ସବୁ ରୋଗୀଙ୍କ ଚିକିତ୍ସା ସ୍ୱାଭାବିକ ହୋଇଛି । କିନ୍ତୁ ମହାମାରୀ ଭଳି ସ୍ଥିତିରେ ସବୁ ରୋଗର ଯେପରି ଉପଯୁକ୍ତ ଚିକିତ୍ସା କରାଯାଇପାରିବ , ସେ ନେଇ ସବୁ ଦେଶର ସରକାର ଧ୍ୟାନ ଦେବା ସହ ଆବଶ୍ୟକୀୟ ପ୍ରସ୍ତୁତି କରିବା ଦରକାର ।

ABOUT THE AUTHOR

...view details