ହାଇଦ୍ରାବାଦ: ରକ୍ତକୁ ସ୍ବଚ୍ଛ କରିବା ଏବଂ ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନ କରିବା ହେଉଛି କିଡନୀ କାମ । ଯଦି କିଡନୀ କାମ କରିବା ବନ୍ଦ କରିଦିଏ, ତେବେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ଖରାପ ଜୀବନଶୈଳୀ ଏବଂ ଖାଦ୍ୟ କିଡନୀକୁ ନଷ୍ଟ କରି ଦେଇଥାଏ । ମଦ୍ୟପାନ, ହୃଦ୍ରୋଗ, ହେପାଟାଇଟିସ୍ ସି ଏବଂ ଏଚ୍.ଆଇ.ଭି. କିଡନୀକୁ ଡ୍ୟାମେଜ୍ କରିବାର ପ୍ରମୁଖ କାରଣ । ତେବେ କିଡନୀ ରୋଗ ଥିଲେ ଶରୀରରେ କି କି ଲକ୍ଷଣ ଦେଖାଯାଏ, ଜାଣନ୍ତୁ
କିଡନୀ ସମସ୍ୟା:ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ କିଡନୀ ସମସ୍ୟା ଏକ ନୀରବ ରୋଗ । ଏହି ରୋଗ ହେଲେ ଧୀରେଧୀରେ ପୀଡ଼ିତଙ୍କ ସମଗ୍ର ଶରୀରରେ ଫୁଲା, ପରିସ୍ରା ଫେଣ ହୋଇଯିବା ଏବଂ ବେଳେବେଳେ ପରିସ୍ରାରେ ରକ୍ତ ପଡିପାରେ । ଯେତେବେଳେ କିଡନୀ ଦୁର୍ବଳ ହୁଏ, ସେତେବେଳେ ଶରୀରରେ ବିଷାକ୍ତ ପଦାର୍ଥ ଜମା ହେବା ଆରମ୍ଭ କରେ । ଏହି କାରଣରୁ, ପିଠି ଯନ୍ତ୍ରଣା, ପେଟର ତଳ ଅଂଶରେ ଯନ୍ତ୍ରଣା, ଚର୍ମରେ କୁଞ୍ଚନ, ଚର୍ମ ଶୁଷ୍କତା ଭଳି ସମସ୍ୟା ଆରମ୍ଭ ହୁଏ । ଉଚ୍ଚ ରକ୍ତଚାପ କିଡନୀ ସମସ୍ୟାର ଏକ ସାଧାରଣ ଏବଂ ପ୍ରାରମ୍ଭିକ ଲକ୍ଷଣ ।
ବାରମ୍ବାର ପରିସ୍ରା ଲାଗିବା:ଜଣେ ସୁସ୍ଥ ବ୍ୟକ୍ତି ଦିନକୁ 6ରୁ 10 ଥର ପରିସ୍ରା କରନ୍ତି । ଯଦି ଆପଣଙ୍କୁ ଏହାଠାରୁ ଅଧିକ ପରିସ୍ରା କରିବାକୁ ପଡେ, ତେବେ ଏହା କିଡନୀ ରୋଗ ହୋଇପାରେ । କିଡନୀ ରୋଗ ହେତୁ ବାରମ୍ବାର ପରିସ୍ରା ଲାଗିଲା ଭଳି ଅନୁଭବ ହୁଏ । କେତେକ ଲୋକଙ୍କର ମୂତ୍ରରେ ରକ୍ତ ମଧ୍ୟ ପଡେ ।
ଭୋକ ନଷ୍ଟ:କିଡନୀ ରୋଗ ଥିଲେ, ଭୋକ ଲାଗେ ନାହିଁ । ଶରୀରରେ ବର୍ଜ୍ୟବସ୍ତୁ ଜମା ହେତୁ ଭୋକ ଲାଗେ ନାହିଁ । ସକାଳୁ ଉଠିବା ମାତ୍ରେ ବାନ୍ତି ଲାଗେ କିମ୍ବା ବାନ୍ତି ହୁଏ । ଏହି ରୋଗ କାରଣରୁ ଓଜନ ମଧ୍ୟ ହ୍ରାସପାଏ ।