ହାଇଦ୍ରାବାଦ:ପିଠି ଯନ୍ତ୍ରଣା କର୍କଟ ରୋଗର ଲକ୍ଷଣ ହୋଇପାରେ କି ? ଏନେଇ ଅନେକ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଯଦି ପିଠିରେ ଯନ୍ତ୍ରଣା ଦୀର୍ଘ ଦିନ ଧରି ଲାଗି ରହୁଛି ତେବେ ହୋଇଯାଆନ୍ତୁ ସାବଧାନ । ଯଦି ପିଠି ଯନ୍ତ୍ରଣା କ୍ରମାଗତ ଭାବରେ ଲାଗି ରୁହେ ତେବେ ଏହା କର୍କଟ ରୋଗର ଲକ୍ଷଣ ହୋଇପାରେ । ସେଥିପାଇଁ ପିଠି ଯନ୍ତ୍ରଣାକୁ କେବେ ହେଲେ ଅଣଦେଖା କରନ୍ତୁ ନାହିଁ, ନଚେତ୍ ଏହା ଜୀବନରେ ବିପଦ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି । ଯଦିଓ ପିଠି ଯନ୍ତ୍ରଣା ଅତି ସାଧାରଣ ଅଟେ । ଅଧିକାଂଶ ଲୋକ ପିଠି ଯନ୍ତ୍ରଣା ସମସ୍ୟା ସହିତ ସଂଘର୍ଷ କରନ୍ତି । ସାଧାରଣତଃ ମାଂସପେଶୀର ଲିଗାମେଣ୍ଟରେ ଆଘାତ, ଭାରୀ ଜିନିଷକୁ ଭୁଲ ଉପାୟରେ ଉଠାଇବା, ନିୟମିତ ବ୍ୟାୟାମ ନକରିବା କାରଣରୁ ପିଠି ଯନ୍ତ୍ରଣା ହୋଇଥାଏ ବୋଲି ସମସ୍ତେ ଜାଣନ୍ତି । ଶରୀରର ଅଧିକ ଓଜନ ପିଠି ଯନ୍ତ୍ରଣା ହେବାର ଅନ୍ୟ ଏକ କାରଣ । କିନ୍ତୁ ଏସବୁ ବ୍ୟତୀତ କେତେକ ପ୍ରକାରର କର୍କଟର ଲକ୍ଷଣ ମଧ୍ୟ ପିଠି ଯନ୍ତ୍ରଣା ହୋଇଥାଏ ।
ଫୁସଫୁସ କର୍କଟ ପାଇଁ ହୋଇପାରେ ପିଠି ଯନ୍ତ୍ରଣା:ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କିଛି କର୍କଟ ତଳ ପିଠିରେ ପହଞ୍ଚି ଯାଇଥାଏ । ସେଥିପାଇଁ ତଳ ପିଠିରେ ଯନ୍ତ୍ରଣା ହୋଇଥାଏ । ଏଗୁଡ଼ିକ ମେଟାଷ୍ଟାସିସର ଲକ୍ଷଣ ହୋଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ସ୍ତନ, ଫୁସଫୁସ, ଟେଷ୍ଟିକୁଲାର ଏବଂ କୋଲୋନ କର୍କଟ କ୍ଷେତ୍ରରେ କର୍କଟ ପଛକୁ ବ୍ୟାପିଥାଏ, ଯେଉଁ କାରଣରୁ ପିଠିରେ ପ୍ରବଳ ଯନ୍ତ୍ରଣା ହୁଏ । ଯେତେବେଳେ ଏହି ଅଙ୍ଗରେ କର୍କଟ ଥାଏ, ଏହା ମେରୁଦଣ୍ଡର ରାସ୍ତାକୁ ଅବରୋଧ କରିଥାଏ । ବ୍ରିଟେନ କ୍ୟାନ୍ସର ରିସର୍ଚ୍ଚ ଅନୁଯାୟୀ, ଫୁସଫୁସ କର୍କଟରେ ପୀଡିତ 25% ରୋଗୀ ପିଠି ଯନ୍ତ୍ରଣାର ଶିକାର ହୋଇଥାଆନ୍ତି । ଯଦି ଫୁସଫୁସ କର୍କଟ ତଳ ପିଠିରେ ବ୍ୟାପିଛି, ତେବେ ଏହା ପିଠିରେ ଯନ୍ତ୍ରଣା ସୃଷ୍ଟି କରିବା ଆରମ୍ଭ କରେ । ଯଦି ରାତିରେ ପ୍ରବଳ ଝାଳ ବାହାରିଥାଏ, ପ୍ରବଳ ଥଣ୍ଡା, ଜ୍ୱର ଏବଂ ପେଟ ସମ୍ବନ୍ଧୀୟ ସମସ୍ୟା ସହିତ ପିଠି ଯନ୍ତ୍ରଣା ହୁଏ, ତେବେ ଏହା ଫୁସଫୁସ କର୍କଟ ରୋଗର ଲକ୍ଷଣ ହୋଇପାରେ । ଏହି ପରିସ୍ଥିତିରେ, ଓଜନ ମଧ୍ୟ ଅତି ଶୀଘ୍ର ହ୍ରାସ ହେବାକୁ ଲାଗିଥାଏ ।