ରାଉରକେଲା:କାଳ ପାଲଟିଲା ସେଲ୍ଫି । ମଦ ପିଇ ନିଶାସକ୍ତ ଅବସ୍ଥାରେ ସେଲ୍ଫି ନେଉଥିବା ବେଳେ ପୋଖରୀରେ ବୁଡିଗଲେ ଯୁବକ । ୧୬ ଘଣ୍ଟା ଧରି ଖୋଜା ଖୋଜି ପରେ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ସହରର ଡିଏଭି ପୋଖରୀରେ । ମୃତ ଯୁବକ ଜଣଙ୍କ ହେଉଛନ୍ତି ହରିପୁର ବସ୍ତିର ଆକାଶ ଟପ୍ପୋ ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବାସନ୍ତୀ କଲୋନି ହରିପୁର ବସ୍ତିର ଦୁଇ ଜଣ ଯୁବକ ଆକାଶ ଟପ୍ପୋ ଏବଂ ସୁରଜ କଲେଟ ଡିଏଭି ପୋଖରୀକୁ ବୁଲିବାକୁ ଆସିଥିଲେ । ଦୁଇ ଯୁବକ ବୁଲିବାକୁ ଆସି ଡିଏଭି ପୋଖରୀ ପଛ ପାର୍ଶ୍ଵରେ ମଦ ପିଇଥିଲେ । ଏହାପରେ ନିଶା ଶକ୍ତ ଅବସ୍ଥାରେ ପୋଖରୀ ନିକଟକୁ ଯାଇ ସେଲ୍ଫି ଉଠାଉଥିବା ବେଳେ ଆକାଶ ଟପ୍ପୋଙ୍କ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ । ଏହା ଦେଖି ତାଙ୍କ ସାଙ୍ଗ ସୁରଜ କଲେଟ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଏଥିରେ ସେ ବିଫଳ ହୋଇଥିଲେ ।
ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଘଟଣା ସଂପର୍କରେ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାତି ୧୦ଟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ । କିନ୍ତୁ ଯୁବକଙ୍କ ମୃତଦେହ ଉଦ୍ଧର କରିବାରେ ସଫଳ ହୋଇନଥିବା ଅଗ୍ନିଶନ ବିଭାଗ । ତେବେ ପୁଣି ଆଜି ସକାଳୁ ସକାଳୁ ଅଗ୍ନିଶମ ବିଭାଗ ଖୋଜାଖୋଜି କରିବାରୁ ପାଣି ଭିତରୁ ଯୁବକ ଜଣଙ୍କ ମୃତଦେହ ଉଦ୍ଧର ହୋଇଥିଲା ।