ରାଉରକେଲା:ପୋଲିସର ବର୍ବରତା । ଯୁବକଙ୍କୁ ନିସ୍ତୁକ ମାଡ ମାରି ହାତ ଭାଙ୍ଗି ଦେଲେ ସବ-ଇନ୍ସପେକ୍ଟର । ଖାଲି ଏତିକି ନୁହଁ ଯୁବକଙ୍କ ପ୍ରାଇଭେଟପାର୍ଟକୁ ମାଡ ମାରି ଲହୁଲୁହାଣ କଲେ ପୋଲିସ ବାବୁ । ସୁନ୍ଦରଗଡ଼ ଜିଲ୍ଲା ହାତିବାରି ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି । ପୋଲିସକୁ ଧକ୍କା ଦେବାରୁ ହାତିବାରି ଥାନା ସବ ଇନ୍ସପେକ୍ଟର ଯୁବକଙ୍କୁ ଏପରି ମାଡ ମାରିଥିବା ଅଭିଯୋଗ ହୋଇଛି । ପୀଡିତ ଯୁବକ ଜଣକ ହେଉଛନ୍ତି ହାତିବାରି ଥାନା ଅଞ୍ଚଳର ଆଦିତ୍ୟ ମିଶ୍ର ।
ମିଳିଥିବା ସୂଚନା ଅନୁଯାୟୀ, ଗତ ୧୮ ତାରିଖ ଦିନ ଆଦିତ୍ୟ କ୍ଷୀର ନେଇ ଘରକୁ ଯାଉଥିବାବେଳେ, ଦ୍ରୁତ ଗତିରେ ଏକ କାର୍ ତାଙ୍କ ପାଖ ଦେଇ ବିପରୀତ ଦିଗରୁ ଯାଇଥିଲା । ଏହି ସମୟରେ କାରର ଲାଇଟ ତାଙ୍କ ଆଖିରେ ପଡିବାରୁ ସେ ପାଖରେ ଥିବା ଅନ୍ୟ ଏକ କାର୍ ସହ ପିଟି ହୋଇ ତଳେ ପଡି ଯାଇଥିଲେ । ଫଳରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । ଏତିକିରେ ହାତିବାରି ଥାନା ସବ ଇନ୍ସପେକ୍ଟର ସାଧା ପୋଷାକରେ ଘଟଣା ସ୍ଥଳରେ ପହଞ୍ଚି ଅଶାଳୀନ ଭାଷାରେ ଯୁବକଙ୍କୁ ଗାଳି ଦେଇଥିଲେ ।
ତେବେ ପୋଲିସ ବାବୁ ଜଣକ ସାଧା ପୋଷାକରେ ଥିବାରୁ ତାହା ଜାଣି ନପାରି ଯୁବକ ଜଣକ ତାଙ୍କୁ ଧକ୍କା ଦେଇଥିଲେ । ଏଥିରେ ରାଗିଯାଇ ହାତିବାରି ଥାନାରେ କାର୍ଯ୍ୟରତ ଥିବା SI ତାଙ୍କୁ ଥାନାକୁ ନେଇ ନିସ୍ତୁକ ମାଡ଼ ମାରିଥିଲେ । ଏନେଇ ଖବର ପାଇ ଆଦିତ୍ୟଙ୍କ ଗର୍ଭବତୀ ସ୍ତ୍ରୀ ଥାନାରେ ପହଞ୍ଚିବାରୁ ତାଙ୍କୁ ମଧ୍ୟ ପୋଲିସ ଅସଦାଚରଣ କରିଥିଲା ।