ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କୋଇଡା ବନାଞ୍ଚଳରେ ଥମୁନି ହାତୀ ଉପଦ୍ରବ । ସପ୍ତାହେ ମଧ୍ୟରେ ହାତୀ ଆକ୍ରମଣରେ ଗଲାଣି ଦୁଇ ଜୀବନ । କୋଇଡା ବନାଞ୍ଚଳ କନ୍ତରକୋଇଡା ଗ୍ରାମରେ ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ଆରତୀ ମୁଣ୍ଡା । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀକୁ ଘଉଡ଼ାଇବା ସହ ତଦନ୍ତ କରିଛି ।
ଏହା ମଧ୍ୟ ପଢ଼ନ୍ତୁ:ମହିଳାଙ୍କୁ କଚାଡ଼ି ମାରିଲା ହାତୀ, ଓଡ଼ିଶା ସୀମାରେ ମାରି ଝାଡ଼ଖଣ୍ଡରେ ଫୋପାଡ଼ିଲା
ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳର କନ୍ତରକୋଇଡା ଗ୍ରାମରେ ୫ଟି ହାତୀପଲଙ୍କ ଉତ୍ପାତ ଦେଖିବାକୁ ମିଳିଛି । ଗତ ଶନିବାର ରାତିରେ ୫ଟି ହାତୀପଲ ଖାଦ୍ୟ ଅନ୍ବେଷଣରେ କନ୍ତରକୋଇଡ଼ା ଗ୍ରାମକୁ ପଶିଥିଲେ । ଗ୍ରାମର ଆରତୀ ମୁଣ୍ଡାଙ୍କ ଘର ଭାଙ୍ଗବା ସହ ଫସଲ ନଷ୍ଟ କରିଥିଲେ । ଏହି ସମୟରେ ଆରତୀ ଭୟରେ ଘରୁ ବାହାରକୁ ଆସିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀଟି ଆରତୀଙ୍କୁ ଶୁଣ୍ଢରେ କଚାଡ଼ି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇଁ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲା । ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ମିଳିତ ଭାବେ ହାତୀପଲଙ୍କୁ ଘଉଡ଼ାଇବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।