ରାଉରକେଲାକୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ ରାଉରକେଲା:ପୁରୀରୁ ରାଉରକେଲାକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଗତକାଲି ବନ୍ଦେ ଭାରତ ଏକ୍ସପ୍ରେସର ଦ୍ବିତୀୟ ଟ୍ରାଏଲ ରନ ହୋଇଛି । ଏହି ସେମି ହାଇସ୍ପିଡ୍ ଟ୍ରେନ୍ରେ ୮ଟି କୋଚ୍ ରହିଛି । ଗତକାଲି ଏହା ୫ଟାରେ ପୁରୀରୁ ବାହାରିଥିବା ବେଳେ ଏହା ଅପରାହ୍ନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିଥିଲା । ଏହାପରେ ଦିନ ୨ଟା ୧୦ରେ ରାଉରକେଲାରୁ ବାହାରି ୯ ଟା ୪୦ରେ ପୁରୀରେ ପହଞ୍ଚିଥିଲା ଟ୍ରେନ୍ ।
ତେବେ ଆସନ୍ତା ୩୦ ତାରିଖରୁ ନିଜର ସମୟ ସରଣୀ ହିସାବରେ ଚାଲିବ ବନ୍ଦେ ଭାରତ । ବହୁ ପ୍ରତୀକ୍ଷିତ' ବନ୍ଦେ ଭାରତ' ଟ୍ରେନର ଶୁଭାରମ୍ଭ ହେବାକୁ ଯାଉଥିବା ବେଳେ ରାଉରକେଲାବାସୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି । ପୁରୀରୁ ରାଉରକେଲାକୁ ସଂଯୋଗ କରୁଥିବା ଏହି ଟ୍ରେନ୍ ସେବା ଏହି ଅଞ୍ଚଳରେ ଯାତ୍ରା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ । ଯାତ୍ରା ସମୟକୁ ହ୍ରାସ କରିବ ଏବଂ ଯୋଗାଯୋଗକୁ ସୁଦୃଢ଼ କରିବ । ଆଜି ଯାଏଁ ରାଉରକେଲାରୁ ଭୁବନେଶ୍ୱର ଭଳି ପ୍ରମୁଖ ସହର ଏବଂ କଟକ କିମ୍ବା ପୁରୀକୁ ଯିବା ପାଇଁ ଦୀର୍ଘ ସମୟ ଲାଗୁଥିଲା । ହେଲେ ବନ୍ଦେ ଭାରତ ଟ୍ରେନ୍ ଆସିବା ପରେ ଏଥିରେ ବହୁ ପରିବର୍ତ୍ତନ ହେବାକୁ ଯାଉଛି । ପୁରୀରୁ ରାଉରକେଲାରେ ପହଞ୍ଚିବାକୁ ମାତ୍ର ୬ ଘଣ୍ଟା ସମୟ ଲାଗିବ ।
ଏହ ମଧ୍ୟ ପଢନ୍ତୁ- Vande Bharat Trial Run: ପୁରୀ-ରାଉରକେଲା ମଧ୍ଯରେ ବନ୍ଦେ ଭାରତର ଦ୍ୱିତୀୟ ଟ୍ରାଏଲ ରନ୍
ବନ୍ଦେ ଭାରତ ଟ୍ରେନକୁ ପାରମ୍ପରିକ ଟ୍ରେନ୍ଠାରୁ ଅଲଗା କରିବା ପାଇଁ କେବଳ ଏହାର ଗତି ନୁହେଁ ବରଂ ଏହାର ଦକ୍ଷତା ଏବଂ ଅତ୍ୟାଧୁନିକ ଜ୍ଞାନ କୌଶଳ ମଧ୍ୟ ଅଲଗା କରିଥାଏ । ଯାତ୍ରୀମାନେ ଏକ ବିଳାସପୂର୍ଣ୍ଣ ଏବଂ ଆରାମଦାୟକ ଯାତ୍ରାର ଆଶା ରଖିପାରିବେ, ଯାହା ଅତ୍ୟାଧୁନିକ ସୁବିଧା, ପ୍ରଶସ୍ତ କ୍ୟାବିନ ଏବଂ ଅନବୋର୍ଡ ସେବା ସହିତ ସମ୍ପୂର୍ଣ୍ଣ ହେବ । ଯାହା ସେମାନଙ୍କ ଯାତ୍ରାର ଅନୁଭୂତିକୁ ପ୍ରକୃତରେ ବିଶ୍ୱସ୍ତରୀୟ କରିବ । ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ କେବଳ ଯାତ୍ରା ସମୟ ହ୍ରାସ କରିବା ପାଇଁ ନୁହେଁ ଏହା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଏବଂ ଏହି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ । ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ବ୍ୟବସାୟୀମାନଙ୍କୁ ଆକୃଷ୍ଟ କରିବ । ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ ଏବଂ ନିଯୁକ୍ତିର ଅଗଣିତ ସୁଯୋଗ ସୃଷ୍ଟି କରିବ । ଓଡ଼ିଶାର ଇସ୍ପାତ ସହର ଭାବେ ପରିଚିତ ରାଉରକେଲା ପୂର୍ବାପେକ୍ଷା ଅଧିକ ଉଜ୍ଜ୍ୱଳ ହେବ । ତେବେ ରାଉରକେଲାବାସୀ 23ରୁ 30 ତାରିଖ ମଧ୍ୟରେ ଏହାର ଆନୁଷ୍ଠାନିକ ଶୁଭାରମ୍ଭକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।
ଇଟିଭି ଭାରତ, ରାଉରକେଲା