ରାଉରକେଲା:ଉଚ୍ଚଶିକ୍ଷିତା ସହ ସଫଳ ଚାଷୀ । ସରକାରୀ ଚାକିରି କରିବା ସହ ରଙ୍ଗବେରଙ୍ଗର କୋବି ଚାଷ କରି ନିଜର ଅନ୍ୟ ଏକ ପରିଚୟ ସୃଷ୍ଟି କରିପାରିଛନ୍ତି ସୁନ୍ଦରଗଡ ଜିଲ୍ଲା ବଣାଇ ବ୍ଲକ ତଳିତା ଗ୍ରାମର ସରକାରୀ କର୍ମଚାରୀ ଭାବେ କାର୍ଯ୍ୟରତ ଉତ୍ତର କୁମାର ସାହୁ । ସେ ନିଜ ଜମିରେ ଭଳିକି ଭଳି କୋବି ଚାଷ କରୁଥିବା ବେଳେ ଏହାକୁ ଦେଖିବା ପାଇଁ ଆଖପାଖ ଗାଁର ଲୋକମାନଙ୍କ ସୁଅ ଛୁଟୁଛି । ଏହାସହ ଚାଷ ଦେଖିବାକୁ ତଥା ଅନୁଧ୍ୟାନ କରିବାପାଇଁ OUAT କୃଷି ବୈଜ୍ଞାନିକମାନେ ମଧ୍ୟ ଆସୁଥିବା ଜଣାପଡିଛି ।
ପେଷାରେ ଉତ୍ତମ ହେଉଛନ୍ତି ଜଣେ ସରକାରୀ ଚାକିରିଆ । ସେ ବଣାଇ କୃଷି ବିଭାଗର VLW ଭାବରେ କାର୍ଯ୍ୟ କରନ୍ତି । ନିଜର ବ୍ୟସ୍ତ ବହୁଳ ଚାକିରି ଜୀବନ ମଧ୍ୟରୁ ସମୟ କାଢି ଚାଷ କରୁଛନ୍ତି ଉତ୍ତମ ସାହୁ । ପ୍ରଥମେ କେବଳ ଧଳା ରଙ୍ଗର କୋବି ଚାଷ ଦେଖିବାକୁ ମିଳୁଥିଲା । ଏବେ କିନ୍ତୁ ବିଭିନ୍ନ ରଙ୍ଗ ବେରଙ୍ଗର କୋବି ଚାଷ ଦେଖିବାକୁ ମିଳୁଛି । ଚାକିରିକୁ ୮ ଘଣ୍ଟା ସମୟ ଦେଉଥିଲେ ମଧ୍ୟ ବଳକା ସମୟରେ ସେ କୋବି ଚାଷ କରୁଛନ୍ତି । ଗତ କିଛି ବର୍ଷ ଧରି କେବଳ ଗୋଟିଏ ପ୍ରକାର କୋବି ଚାଷ କରି ସଫଳ ଲାଭ କରିଥିବା ବେଳେ ଏହାପରେ ଦୁଇ ତିନି ବର୍ଷ ହେଲାଣି ବଣାଇଁ ଉପଖଣ୍ଡର ତଳିତା ଗ୍ରାମରେ ହଲଦିଆ, ବାଇଗଣୀ, ସାଗୁଆ ଓ ଧଳା ବର୍ଣ୍ଣ କୋବି ଚାଷ କରି ସଫଳ ଚାଷୀର ଉଦାହରଣ ସୃଷ୍ଟି କରିଛନ୍ତି । ସମ୍ପୂର୍ଣ୍ଣ ପରିବାର ଚାଷକୁ ଆଦରି ନେଇଛନ୍ତି ।