ସୁନ୍ଦରଗଡ:ଉତ୍କଳୀୟ କଳା ଓ ଭାସ୍କର୍ଯ୍ୟ ସାରା ବିଶ୍ବ ବିଦିତ । ଓଡିଶାର କୋଣ ଅନୁକୋଣରେ ରହିଛନ୍ତି ଉତ୍କଳର ମହାନ ଶିଳ୍ପୀ ଓ ସ୍ଥପତି । ନିଜ କଳାର ସାଧନାରେ ନିଜ ସହ ନିଜ ଜାତିକୁ ଗୌରବାନ୍ବିତ କରିଛନ୍ତି । ସେହିଭଳି ଶିଳ୍ପୀଙ୍କ ମଧ୍ୟରୁ ଅନ୍ୟତମ ସୁନ୍ଦରଗଡର ରାଜେନ୍ଦ୍ର ମେହେର । ଯିଏକି ଜାତୀୟ ସ୍ତରରେ ନିଜର ମହାନ କଳା ପାଇଁ ପୁରସ୍କୃତ ହେବାକୁ ଯାଉଛନ୍ତି । ୨୦୧୮ ମସିହାର ଜାତୀୟ ହସ୍ତକଳା ପୁରସ୍କାର ଭାରତ ସରକାରଙ୍କ ଦ୍ବାରା ଘୋଷଣା କରାଯାଇଛି । ଓଡିଶାରୁ ଏହି ପୁରସ୍କାର ପାଇବା ପାଇଁ ୯ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ରାଜେନ୍ଦ୍ର ମେହେର ।
ଟସର ସୂତାରେ ସିଦ୍ଧି ବିନାୟକଙ୍କ 3 ଫୁଟ ଉଚ୍ଚ ଓ ଅଢେଇ ଫୁଟ ଚଉଡାର ମୂର୍ତ୍ତି ତିଆରି କରି 2018 ବର୍ଷ ପାଇଁ ସେ ଏହି ଜାତୀୟ ପୁରସ୍କାର ପାଇବାକୁ ଯାଉଛନ୍ତି । ସୁନ୍ଦରଗଡର ଏକ ବୁଣାକାର ପରିବାରରେ ରାଜେନ୍ଦ୍ର ମେହେରଙ୍କ ଜନ୍ମ । ତାଙ୍କ ପରିବାରର କୌଳିକ ବୃତ୍ତି ଲୁଗା ବୁଣିବା । ରାଜେନ୍ଦ୍ରଙ୍କ ବାପାମାଆ ଲୁଗା ବୁଣିବା ସହ ପାଟବସ୍ତ୍ର ତିଆରି କରୁଥିଲେ । ବାପାମାଆଙ୍କ ସେହି ସୂକ୍ଷ୍ମ କାରୁକାର୍ଯ୍ୟକୁ ଦେଖି ପ୍ରେରଣା ପାଇଥିଲେ ରାଜେନ୍ଦ୍ର । ପ୍ରଥମେ ସେ ପେଣ୍ଟିଂ, ଚିତ୍ରକଳା, ପଟ୍ଟଚିତ୍ର ଆଦି ଆଙ୍କୁଥିଲେ । ଗଣେଶ ପୂଜା ଆସିଲେ କଦଳୀ, ରୁଦ୍ରାକ୍ଷ, ଚକୋଲେଟ ଓ ନଡିଆରେ ଗଜାନନଙ୍କ ପ୍ରତିମୂର୍ତ୍ତି ଗଢୁଥିଲେ । ଯାହା ଯେ କୌଣସି ବ୍ୟକ୍ତିବିଶେଷଙ୍କୁ ଆଶ୍ଚର୍ଯ୍ୟନ୍ବିତ କରିବା ପାଇଁ ଯଥେଷ୍ଟ । ରାଜେନ୍ଦ୍ର ଏବେ ଟସର ସୂତା ଓ କପଡାରେ ତାଙ୍କ କଳାକୃତି ଗୋଟିକ ପରେ ଗୋଟିଏ ଫୁଟାଇବାରେ ଲାଗିଛନ୍ତି । ପ୍ରଶଂସା ବା ପୁରସ୍କାର ଜିତିବା ନୁହେଁ ବରଂ ପ୍ରତ୍ୟେକ ଜିନିଷକୁ କିଛି ନୂଆ କରି ଗଢି ତୋଳିବା ତାଙ୍କର ନିଶା ବୋଲି କହିଛନ୍ତି ଏହି ଶିଳ୍ପୀ ।
ଏବେ ରାଜେନ୍ଦ୍ର ପେଣ୍ଟିଙ୍ଗ କରିବା, ପଟ୍ଟଚିତ୍ର ଆଙ୍କିବା ସାଙ୍ଗକୁ ଟସର ସିଲକ ଉପରେ କ୍ରାଫ୍ଟସ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ପୂର୍ବରୁ ସିଲ୍କ କ୍ରାଫ୍ଟସରେ ସେ ଜଗନ୍ନାଥଙ୍କ ଦଶାବତାର କରି 2017 ମସିହା ପାଇଁ ରାଜ୍ୟ ପୁରସ୍କାର ଜିତି ଥିବାବେଳେ ଏବେ ଟସର ସୂତାରେ ଗଶେଶଙ୍କ ମୂର୍ତ୍ତି ତିଆରି କରି 2018 ବର୍ଷ ପାଇଁ ଜାତୀୟ ପୁରସ୍କାର ପାଇବାକୁ ଯାଉଛନ୍ତି । ଏହାକୁ ନେଇ ତାଙ୍କର କଳାଗୁରୁ ମଧ୍ୟ ଆନନ୍ଦରେ ବିଭୋର ହୋଇଛନ୍ତି । ପ୍ରଥମରୁ ରାଜେନ୍ଦ୍ରଙ୍କ ନିକଟରେ ମହାନ ଶିଳ୍ପୀର ସୁଗନ୍ଧ ବାରି ହେଉଥିଲା । ଚିତ୍ରକଳାରୁ ସେ ହସ୍ତଶିଳ୍ପକୁ ନିଜର ନିଶା ଓ ପେଶା ଭାବେ ଆବୋରି ନେଇଥିବା କହିଛନ୍ତି ଗୁରୁ ଶୀତଳ ମହାପାତ୍ର ।