ଭାରତକୁ ପ୍ରଥମରୁ ଅଟାକ କରି ଖେଳ ପ୍ରଦର୍ଶନ କରିବାକୁ ପଡିବ କହିଲେ କ୍ରୀଡା ସମୀକ୍ଷକ ରାଉରକେଲା: ଏଫ୍ଆଇଏଚ୍ ପ୍ରୋ ଲିଗରେ ଆଜି ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ମୁହାଁମୁହିଁ ଟକ୍କର । ପଏଣ୍ଟ ଟେବୁଲରେ ଉପରକୁ ଯିବା ପାଇଁ ଆଜିର ମ୍ୟାଚରେ ହେବ ଫାଇଟ । ପ୍ରୋ ଲିଗ ପାଇଁ ଚଳଚଞ୍ଚଳ ରାଉରକେଲା ସହର । ଆଜି ମ୍ୟାଚରେ ଜୋରଦାର ଟକ୍କର ରହିବ ବୋଲି ସମସ୍ତଙ୍କର ନଜର । ତେବେ ଆଜିର ମ୍ୟାଚ ସମ୍ପର୍କରେ ବରିଷ୍ଠ କ୍ରୀଡା ସମୀକ୍ଷକ ସମ୍ବିତ ମହାପାତ୍ରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସ୍ମୃତିରଞ୍ଜନ ବେହେରା ।
କିଭଳି ରହିବ ଆଜିର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ? ଅଷ୍ଟ୍ରେଲିଆ ଦଳକୁ କିଭଳି ଟକ୍କର ଦେବ ଭାରତୀୟ ଦଳ ? ଏନେଇ ଲାଗିଛି ଚର୍ଚ୍ଚା । ତେବେ ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ ବିଶ୍ବ ବିଜେତା ଜର୍ମାନୀ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲା । ଦୁଇ ଦଳ ମଧ୍ୟରେ ହୋଇଥିଲା କଡା ଟକ୍କର । ଏହି ରୋମାଞ୍ଚକର ମ୍ୟାଚ୍ରେ ବାଜିମାତ କରିଥିଲା ଭାରତୀୟ ହକି ଦଳ । ନିଜର ଚମତ୍କାର ପ୍ରଦର୍ଶନ ଫଳରେ ଜିତିଥିଲା ଭାରତ । ଗତକାଲି ଦ୍ବିତୀୟ ମ୍ୟାଚରେ ଜର୍ମାନୀ ହକି ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ନିଜର ଚମତ୍କାର ପ୍ରଦର୍ଶନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥିବା ଅଷ୍ଟ୍ରେଲିଆକୁ ହରାଇଛି ଜର୍ମାନୀ ।
ତେବେ ଏନେଇ କ୍ରୀଡା ସମୀକ୍ଷକ ସମ୍ବିତ ମହାପାତ୍ର କହିଛନ୍ତି, "ଅଷ୍ଟ୍ରେଲିଆ ଏକ ଯୁବ ଦଳ । ଯେଉଁଥିରେ ଯୁବ ପ୍ଲେୟାର ରହିଛନ୍ତି । ଏକ ନୂଆ ଦଳ ବିପକ୍ଷରେ ଭାରତକୁ ଜିତିବାକୁ ପଡିବ । ହରମନପ୍ରୀତ, ହାର୍ଦ୍ଦିକ, ସୁଖଜିତ, ମନପ୍ରୀତଙ୍କ ଖେଳ ଉପରେ ସମସ୍ତଙ୍କ ନଜର ରହିବ । ଫର୍ମକୁ ଫେରିଛନ୍ତି ହରମନପ୍ରୀତ ସିଂହ । ପେନାଲ୍ଟି କର୍ଣ୍ଣରକୁ ଗୋଲ କରି ଭାରତୀୟ ଦଳକୁ ଆଗୁଆ କରିଛନ୍ତି । ସୁଖଜିତ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ଦୁଇଟି ଗୋଲ କରି ଭାରତୀୟ ଟିମକୁ ଜିତାଇଥିଲେ । ଜର୍ମାନୀ ଠାରୁ ୩-୨ ଗୋଲରେ ଜିତିଥିଲା ଭାରତ । ରାଉରକେଲାରେ ଭାରତ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ବିଜୟ ଲାଭ କରିଥିଲା ।" ଆଜି ପୁଣି ସେଭଳି ଉଚ୍ଚକୋଟୀର ମ୍ୟାଚ ପ୍ରଦର୍ଶନ କରିବାକୁ ପଡିବ ବୋଲି କହିଛନ୍ତି କ୍ରୀଡା ସମୀକ୍ଷକ ସମ୍ବିତ ମହାପାତ୍ର ।
ସେ ଆହୁରି କହିଛନ୍ତି, "ଆମକୁ ଆହୁରି ଭଲ ପ୍ରଦର୍ଶନ କରି ଭଲ ଖେଳିବାକୁ ପଡିବ । କାରଣ ପୂର୍ବରୁ ଅଷ୍ଟ୍ରେଲିଆ ଦଳ ଆମକୁ ବହୁତ ଥର ବିଭିନ୍ନ ଚମ୍ପିଆନସିପରେ ହଇରାଣ କରିଛି । ଆମ ଖେଳକୁ ଭଲ ଭାବରେ ଜାଣିଛନ୍ତି ଅଷ୍ଟ୍ରେଲିଆ ଖେଳାଳି । ତେଣୁ ଭାରତୀୟ ହକି ଦଳ ଅଷ୍ଟ୍ରେଲିଆ ଦଳର ଲୁଜ ପଏଣ୍ଟକୁ ଦେଖି ତାହା ମଧ୍ୟରେ ଅଟାକ କରିବାକୁ ପଡିବ । ଆମକୁ ନିଜର ନୂଆ ଟେକ୍ନିକ୍ରେ ଆଜି ଖେଳି ବିଜୟ ଲାଭ କରିବାକୁ ପଡିବ । ଆମକୁ ଆମର ଅଟାକ ଆଉ ଟିକେ ଭଲ ଏବଂ ପେନାଲ୍ଟିକୁ ଗୋଲରେ ପରିଣତ କରିବା ସହ ହାଫ ଚାନ୍ସକୁ ଗୋଲ କରିବା ସବୁଠାରୁ ମହତ୍ବପୂର୍ଣ୍ଣ ରହିବ ।" ତେବେ ପୂର୍ବ ମ୍ୟାଚ ଭଳି ଭାରତକୁ ନିଜର କୌଶଳ ପ୍ରଦର୍ଶନ କରି ପ୍ରଥମରୁ ଅଟାକ କରି ଖେଳ ପ୍ରଦର୍ଶନ କରିବାକୁ ପଡିବ ବୋଲି କହିଛନ୍ତି କ୍ରୀଡା ସମୀକ୍ଷକ ସମ୍ବିତ ମହାପାତ୍ର । ଆଜି ଭାରତୀୟ ଦଳ ଜିତିଲେ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନକୁ ଯିବ ଏବଂ ଯେଉଁଭଳି ଭାବରେ ଟିମ୍ ଲାଇନ ଅପ ରହିଛି ଭାରତ ନିଶ୍ଚୟ ଜିତିବ ବୋଲି ଆଶା କରିଛନ୍ତି ପ୍ରଶଂସକ ।
ଇଟିଭି ଭାରତ, ରାଉରକେଲା