ରାଉରକେଲା: ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଆତଙ୍କ । ଧୀରେଧୀରେ ରାଜ୍ୟର ଅନେକ ଜିଲ୍ଲାରେ ଏହି ସ୍କ୍ରବ୍ ଟାଇଫସ୍ ରୋଗ ଚିହ୍ନଟ କରାଯାଇଛି । ଏବେ ଏହି ସୁନ୍ଦରଗଡ଼ରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି । ତେବେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ବ୍ୟାପକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏପଟେ ଜିଲ୍ଲାରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗୀ ବଢୁଥିବା ବେଳେ ସ୍କ୍ରବ୍ ଟାଇଫସ୍ ରୋଗ ପ୍ରଶାସନର ନିଦ ହଜେଇଛି । ଜିଲ୍ଲାକରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଏହି ସ୍କ୍ରବ୍ ଟାଇଫସ୍ ରୋଗରେ 100ରୁ ଅଧିକ ରୋଗୀ ସୁନ୍ଦରଗଡ଼ ଜିଲ୍ଲାରେ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ରୋଗରେ ବର୍ତ୍ତମାନ ଯାଏଁ ଜିଲ୍ଲାରେ କାହାରି ମୃତ୍ୟୁ ହୋଇନାହିଁ ।
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାହ୍ନୁ ଚରଣ ନାୟକ କହିଛନ୍ତି, "ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସୁଥିବା ରୋଗୀଙ୍କ ରୋଗର ଲକ୍ଷଣକୁ ଦେଖି ଡାକ୍ତରଙ୍କ ପରାମର୍ଶରେ ସ୍କ୍ରବ ଟାଇଫସ ପରୀକ୍ଷା କରାଯାଉଛି । ଜାନୁଆରୀ ୨୦୨୩ରୁ ସେପ୍ଟେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ୬୭୦ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି । ତେବେ ଏହି ରକ୍ତ ନମୁନା ପରୀକ୍ଷାରୁ ଏବେ ସୁଦ୍ଧା ୧୩୨ ଜଣ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚିକିତ୍ସାଳୟରୁ ସଂଗ୍ରହ ହେଉଥିବା ବେଳେ ସରକାରୀ ମେଡାକାଲରେ ଏହାର ପରୀକ୍ଷା କରାଯାଉଛି ।"
ସେ ଅହୁରି ମଧ୍ୟ କହିଛନ୍ତି,"ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ତୀବ୍ର ଜ୍ବର ସାଙ୍ଗକୁ ତଳିପେଟରେ ଯନ୍ତ୍ରଣା, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଦେଖାଦେଇଥାଏ । ଯେଉଁ ସ୍ଥାନକୁ ଏହି କୀଟ କାମୁଡ଼ିଥାଏ ସେହି ସ୍ଥାନର ଚର୍ମ ମୃତ ହୋଇଯାଏ । ଏନେଇ କୌଣସି ପ୍ରକାର ଭୟଭୀତ ହେବାର ନାହିଁ । ଏହି ରୋଗରେ କୌଣସି ବ୍ୟକ୍ତି ପୀଡ଼ିତ ହେଲେ ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଥିପାଇଁ ସ୍ଵତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଇଛି ଏବଂ ଔଷଧ ମଧ୍ୟ ମହଜୁଦ ଅଛି ।"