ରାଉରକେଲା:ମହିଳାଙ୍କୁ ସ୍ନେହ, ପ୍ରେମ ଓ ସହନଶୀଳତାର ଦେବୀ ବୋଲି କୁହାଯାଏ । ଆଜିକାଲି ମହିଳାମାନେ ପ୍ରତିଟି କ୍ଷେତ୍ରରେ ପୁରୁଷ ସହ କାନ୍ଧ ମିଶାଇ ବାଟ ଚାଲୁଛନ୍ତି । ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏପରି ଜଣେ ପ୍ରେରଣାଦାୟୀ ମହିଳାଙ୍କ ସହ ପରିଚିତ କରାଇବୁ ଯିଏକି ଭିନ୍ନକ୍ଷମ ହୋଇ ବି ସମାଜରେ ସକ୍ଷମ ହୋଇପାରିଛନ୍ତି । ଜନ୍ମରୁ ତାଙ୍କର ଦୁଇଟି ଗୋଡ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି । ହେଲେ କେବେ ହାରିଯାଇ ନାହାନ୍ତି । ଗୋଡ ନହେଲା ନାହିଁ ଦୁଇ ହାତରେ ସେ ଜୀବନର ରଥ ଟାଣି ନେଉଛନ୍ତି । ତାଙ୍କ ହାତ ସ୍ପର୍ଶରେ ଜୀବନ୍ୟାସ ପାଉଛି କାନଭାସ୍ । ଅଦରକାରୀ ଜିନିଷ ଦରକାରୀ ହୋଇପଡୁଛି । ବିଭିନ୍ନ ଘର ସାଜସଜ୍ଜା ସାମଗ୍ରୀ ସହ ଆକର୍ଷଣୀୟ ଫଟୋଚିତ୍ର କରି ସେ ସ୍ବାବଲମ୍ବୀ ହୋଇଛନ୍ତି । ଏହି ମହିଳା ହେଉଛନ୍ତି ରାଉରକେଲାର ସରିତା ନାୟକ ।
ସରିତା ନାୟକ ପିଲାଟି ବେଳୁ ଭିନ୍ନକ୍ଷମ । ତାଙ୍କର ସ୍ପାଇନାଲ କର୍ଡରେ ସମସ୍ୟା ଯୋଗୁଁ ଗୋଡ ଦୁଇଟା ପୁରା ଅକାମୀ ହୋଇଯାଇଛି । ସେ ଦୁଇ ଗୋଡରେ ଛିଡା ହୋଇପାରୁ ନାହାନ୍ତି । ତଥାପି ପରିବାର ପାଇଁ କେବେ ବୋଝ ପାଲଟି ନାହାନ୍ତି । ସରିତା ହ୍ବିଲଚେୟାରରେ ବସି ବିଭିନ୍ନ ଚିତ୍ରକଳା ଆଙ୍କିବା ସହ କୁମ୍ପି, ଆକର୍ଷଣୀୟ ଦୀପ, କ୍ୟାଣ୍ଡେଲ ସମେତ ବିଭିନ୍ନ ଅଦରକାରୀ ଜିନିଷରୁ ନାନା ଘରକରଣା ସାମଗ୍ରୀ ପ୍ରସ୍ତୁତି କରୁଛନ୍ତି । କେବଳ ଏତିକି ନୁହେଁ, ରାକ୍ଷୀ ପୂର୍ଣ୍ଣିମା ସମୟରେ ସେ ନିଜ ହାତରେ ସୁନ୍ଦର ସୁନ୍ଦର ରାକ୍ଷୀ ତିଆରି କରନ୍ତି ।