ରାଉରକେଲା: ରାଉରକେଲା, ସବୁଜ ସୁନ୍ଦର ଓ ଇତିହାସ ଭରା ସହର । ରାଉରକେଲା ଇତିହାସ କହିଲେ କେବଳ ଊନବିଂଶ ବା ବିଂଶ ଶତାବ୍ଦୀ ନୁହେଁ, ୩୦ ହଜାର ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଇତିହାସରେ ରାଉରକେଲା ସହରକୁ ମିଳିଛି ସ୍ବତନ୍ତ୍ର ସ୍ଥାନ । ତେବେ ଏହି ଇତିହାସ ସହିତ ଲୋକଙ୍କୁ ପରିଚିତ କରାଇବା ପାଇଁ ଅଭିନବ ଉପାୟ ଆପଣାଇଛି ରାଉରକେଲା ପ୍ରଶାସନ । ରାଉରକେଲା ସହରର ଷ୍ଟିଲ୍ ପ୍ଲାଣ୍ଟ୍ ସାତ ତାଲା ବିଲ୍ଡିଂ ନିକଟରେ ସୁନ୍ଦର ଭାବେ କାନ୍ଥରେ ବିଭିନ୍ନ ଚିତ୍ର ଆଙ୍କି ଇତିହାସ ବଖାଣିଛନ୍ତି ଚିତ୍ରକାର । ବରାହ ରାଜବଂଶ ଶାସନଠାରୁ ଆରମ୍ଭ କରି ରୋମାନ ଶାସନ ସମୟରେ ହୀରା ରପ୍ତାନୀ, ରୁର୍କେଲାରୁ ରାଉରକେଲା ପର୍ଯ୍ୟନ୍ତ । ଚମତ୍କାର ଭାବେ ଝଲସି ଉଠୁଛି ଏହି ପ୍ରାଚୀନ ସହରର ଐତିହ ।
ବରାହ ରାଜ ବଂଶ ଶାସନରୁ ଇଂରେଜ ଶାସନ: ୩୦ ହଜାର ବର୍ଷ ପୂର୍ବରୁ ଏହି ଅଞ୍ଚଳଟି କେବଳ ପାହାଡ଼ ପର୍ବତ ଘେରା ହୋଇ ରହିଥିଲା । ଏହାପରେ ଏଠାରେ ବରାହ ରାଜ ବଂଶ ଶାସନ କରୁଥିଲେ । ଏହି ରାଉରକେଲା ଅଞ୍ଚଳ ଦେଇ ରୋମାନ ଶାସନ ସମୟରେ ହୀରା ରପ୍ତାନୀ ହେଉଥିଲା । ସେତେବେଳେ ଏହି ରାସ୍ତାକୁ ସିଲ୍କ ରୁଟ୍ ବୋଲି କୁହାଯାଉଥିଲା । ତେବେ ବ୍ରିଟିଶ ଶାସନ ସମୟରେ ବଣାଇ ରାଜ୍ୟ ଏବଂ ଗାଙ୍ଗପୁର ରାଜ୍ୟ ଅଲଗା ହୋଇ ରହିଥିଲା, ଯାହା ପରବର୍ତ୍ତୀ ସମୟରେ ଏକାଠି ହେବାରୁ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲା ଗଠନ ହେଲା । ଏହି ଅଞ୍ଚଳରେ ମୂଳ ଅଧିବାସୀ ହେଉଛନ୍ତି ଭୂୟାଁ, କୋଲ୍ହ, ଗୋଣ୍ଡ, ଓରାମ, ମୁଣ୍ଡା ଓ କନ୍ଧ ସମ୍ପ୍ରଦାୟ । ୧୮୯୧ ମସିହାରେ ବ୍ରିଟିଶ ସରକାର କୋଲକାତା ଠାରୁ ମୁମ୍ବାଇ ପାଇଁ ରେଳ ଲାଇନ ତିଆରି କରିଥିଲେ ଏବଂ ଏହାରି ଯୋଗୁଁ ରାଉରକେଲା ଠାରେ ପ୍ରଥମ ଥର ରେଳ ଲାଇନ ତିଆରି ହୋଇଥିଲା ଏବଂ ଏହାପରେ ମାଲବାହୀ ରେଳ ଗଡ଼ିବା ଆରମ୍ଭ ହୋଇଥିଲା । ୧୯୨୨ ମସିହାରେ ଲାଇମ୍ ଷ୍ଟୋନ୍ ଉତ୍ପାଦନକୁ ରପ୍ତାନୀ କରିବା ପାଇଁ ବୀରମିତ୍ରପୁର ଅଞ୍ଚଳର ବିଶ୍ରା ଲାଇମ୍ ଷ୍ଟୋନ୍କୁ ନୂଆ ରେଳ ଲାଇନ ନିର୍ମାଣ ହୋଇଥିଲା । ରାଉରକେଲା ରେଲୱେ ଷ୍ଟେସନକୁ ଜଙ୍କ୍ସନ୍ ଭାବରେ ୧୯୨୬ ମସିହାରେ ଘୋଷଣା କରାଯାଇଥିଲା ।
ରୁର୍କେଲାରୁ ରାଉରକେଲାର କାହାଣୀ: ଦେଶ ସ୍ଵାଧୀନ ହେବାପରେ ୧୯୫୦ ମସିହାରେ ଭାରତ ସରକାର ଷ୍ଟିଲ୍ ଉତ୍ପାଦନ କରିବା ପାଇଁ କାରଖାନା ବସାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ସ୍ବାଧୀନ ଭାରତରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏବଂ ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦ ଦ୍ବିତୀୟ ପଞ୍ଚ ବାର୍ଷିକ ଯୋଜନାକୁ ଦୃଷ୍ଟିରେ ରଖି ଭାରତର ଶିଳ୍ପ ଜଗତରେ ଏକ ବିପ୍ଳବ ଆଣିବା ପାଇଁ ନିଶ୍ଚିତ କରିଥିଲେ । ଏଥିପାଇଁ ଦେଶରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଅଣ୍ଟା ଭିଡ଼ିଲେ ସରକାର । ସାରା ଦେଶରେ ବିଭିନ୍ନ ସ୍ଥାନରେ ସର୍ଭେ ହେବା ପରେ ସେହି ସମୟର ଓଡିଶା ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଛୋଟା ନାଗପୁର ଡିଭିଜନର ଏକ ଗ୍ରାମ ଯାହାର ନାମ 'ରୁରକେଲା' ଥିଲା, ସେଠାରେ ଦେଶର ପ୍ରଥମ ପବ୍ଲିକ ସେକ୍ଟର କାରଖାନା ସ୍ଥାପନ କରିବା ପାଇଁ ସ୍ଥାନ ନିରୂପଣ କରାଗଲା । ଏହାପରେ ଜର୍ମାନ ଟେକ୍ନୋଲୋଜିରେ ଏଠାରେ ଇସ୍ପାତ କାରଖାନା ନିର୍ମାଣ ହୋଇଥିଲା । ରୁରକେଲା ଗ୍ରାମରେ ଏହି କାରଖାନା ହେବାରୁ ଏହାର ନାମ ରାଉରକେଲା ଇସ୍ପାତ କାରଖାନା ହୋଇଥିଲା । ଏହାଦ୍ବାରା ପ୍ଲାଣ୍ଟରେ କାମ କରୁଥିବା ଲୋକଙ୍କ ପାଇଁ ହୋଇଥିବା ଜନ ବସତି ଅଞ୍ଚଳର ନାମ ମଧ୍ୟ ଧୀରେଧୀରେ ରୁର୍କେଲାରୁ ରାଉରକେଲା ହୋଇଥିଲା ।