ରାଉରକେଲା:ହୁ ହୁ ହୋଇ ବଢ଼ିବାରେ ଲାଗିଛି ଡାଇରିଆ ଆତଙ୍କ । ଯାହାକୁ ନେଇ ପ୍ରଶାସନକୁ ଦାୟୀ କରିଥିଲେ ବିରୋଧୀ । ଏହାକୁ ନେଇ ମୁହଁ ଖୋଲିଛି ପ୍ରଶାସନ । ରାଉରକେଲା ମହାନଗର ନିଗମ କମିଶନର ଏବଂ ଅତିରିକ୍ତ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି,"ବର୍ତ୍ତମାନ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟିମ ରାଉରକେଲା ଗସ୍ତରେ ରହିଛି । ରାଉରକେଲା ସହରର ବିଭିନ୍ନ ସ୍ଥାନ ବୁଲି ପରିଦର୍ଶନ କରିଛନ୍ତି ଏବଂ ରାଉରକେଲା ସମେତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରୁ ଚିହ୍ନଟ ହୋଇଥିବା ଅଞ୍ଚଳରେ ମଧ୍ୟ ପହଞ୍ଚି ସ୍ଥିତି ପରଖୁଛନ୍ତି । ରାଉରକେଲା ସରକାରୀ ହସ୍ପିଟାଲରେ ରୋଗୀଙ୍କ ସହ ଆଲୋଚନା ମଧ୍ୟ କରିଛି ଏହି ଟିମ । ତେବେ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଯାଇ ଟିମ ବୁଲି ପାଣିର ସାମ୍ପୁଲ ମଧ୍ୟ ନେଉଛି ।"
"ରାଉରକେଲା ସରକାରୀ ହସ୍ପିଟାଲରେ ବର୍ତ୍ତମାନ ଅଧିକ ଡାକ୍ତର ଏବଂ ପାରା ମେଡ଼ିକାଲ ସହ ନର୍ସ ମଧ୍ୟ ଯୋଗ ଦେଇଛନ୍ତି । ଏହାସହ ୯ଟି ରାପିଡ଼ ଆକ୍ସନ ଟିମ ମଧ୍ୟ ନିଜ କାର୍ଯ୍ୟରେ ଲାଗିଛି ଏବଂ ପାଣିରେ କ୍ଲୋରିନର ମାତ୍ରା ମଧ୍ୟ ଭଲ ରହିଛି । ଯେଉଁଠି ସବୁ ପାଇପ ଫାଟିଛି ତାହାର ମଧ୍ୟ ମେଣ୍ଟେନାନ୍ସ କରାଯାଉଛି । ସମସ୍ତ ରାଉରକେଲା ସହରର ବିଭିନ୍ନ ହଟସ୍ପଟରୁ ସାମ୍ପୁଲ କଲେକ୍ସନ ହୋଇଛି । ରୋଗୀଙ୍କ ସାମ୍ପୁଲରେ ବ୍ୟାକ୍ଟେରିଆ ଇନଫେକ୍ସନ ଥିବା ଜଣାପଡ଼ିଛି । ANM ମାନେ ମଧ୍ୟ ପ୍ରତିଦିନ ଘରେ ଘରେ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି । ଏହାସହ ବିଭିନ୍ନ ସ୍ଥାନରେ ଚଢ଼ାଉ ସହ ଖାଦ୍ୟ ଟେଷ୍ଟ ଚାଲିଛି" ବୋଲି କହିଛନ୍ତି କମିଶନର ।
ଏହାସହ ଡାଇରିଆ ହେଲେ ବ୍ୟସ୍ତ ନହୋଇ ପ୍ରଥମେ ନିକଟସ୍ଥ ଡାକ୍ତରଖାନା ଯିବାକୁ ପରାମର୍ଶ ଦେଇଛନ୍ତି କମିଶନର । ଅପରପକ୍ଷେ, ଏହାକୁ ନେଇ ବର୍ତ୍ତମାନ ଲୋକ ଦ୍ୱନ୍ଦ୍ବରେ ପଡିଛନ୍ତି । କାରଣ ଗୋଟିଏପଟେ, ୱାଟକୋ ଅଧିକାରୀ କହିଛନ୍ତି ଏହା ପାଣି ଯୋଗୁଁ ହୋଇନାହିଁ । ଅନ୍ୟପଟେ ଭୁବନେଶ୍ୱର ସ୍ୱାସ୍ଥ୍ୟ ବିଭାଗ ପ୍ରତିକ୍ରିୟା ଦେଇଛି ଯେ ଏହା ପାଣି ଯୋଗୁଁ ହୋଇଛି ।