ରାଉରକେଲା:ଦୀର୍ଘ ୧୯ବର୍ଷ ପରେ ଘରକୁ ଫେରିଲା ଖୁସି । ଗେହ୍ଲା ସାନପୁଅ ଖଗେଶ୍ବରଙ୍କ ଘର ବାହୁଡ଼ା ପରେ ପରିବାରର ଖୁସି କହିଲେ ନ ସରେ । ଦୀର୍ଘ ବର୍ଷ ପରେ ପୁଅକୁ ଦେଖି ବୃଦ୍ଧ ବାପାଙ୍କ ଆଖିରେ ଖୁସିର ଲୁହ । ସେପଟେ ମାଆ ମୁଣ୍ଡ ଆଉଁସି ଢାଳି ଦେଉଛି ସ୍ନେହର ଆଶିଷ । ରାଉରକେଲା ରିଉଁ ଗାଁରେ ଡମ୍ବୁରଧର ସିଂଙ୍କ ଘରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ପୁଅ ଖଗେଶ୍ବର ୨୦୦୪ ମସିହାରୁ କେଉଁଆଡେ ଚାଲିଯାଇଥିବା ବେଳେ ଅନେକ ବର୍ଷ ପରେ ଘରକୁ ଫେରିଛନ୍ତି । ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରୁ ସ୍ବେଚ୍ଛାସେବୀ ସଂଗଠନ 'ଶ୍ରଦ୍ଧା' ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇଛି । ଏହି ସଂଗଠନ ଖଗେଶ୍ବରଙ୍କୁ ଆଣି ଘରେ ଛାଡିବା ପରେ ପରିବାରରେ ଖେଳିଯାଇଛି ଖୁସିର ଲହରୀ ।
ଦିନେ ହଠାତ କୁଆଡେ ଘର ଛାଡ଼ି ଚାଲିଯାଇଥିଲେ ଏବଂ ନିଖୋଜ ହୋଇଯାଇଥିଲେ । ନିଖୋଜର ୧୯ବର୍ଷ ପରେ ଘରକୁ ଫେରିଲେ ଖଗେଶ୍ୱର ସିଂ। ଦିନେ ଯେଉଁ ପରିବାର ଲୋକେ ଖଗେଶ୍ବରଙ୍କୁ ଖୋଜି ଖୋଜି ଆଶା ଛାଡି ବସିଥିଲେ ଆଜି ତାଙ୍କ ପାଖରେ ସୁରକ୍ଷିତ ଭାବେ ପହଞ୍ଚିଛନ୍ତି ଖଗେଶ୍ବର । ୧୫ ବର୍ଷ ବୟସରେ ହଠାତ୍ ନିଖୋଜ ହୋଇଯାଇଥିଲେ ସୁନ୍ଦରଗଡ଼ କୁଆରମୁଣ୍ଡା ବ୍ଲକ ରିଉଁ ଗାଁର ଖଗେଶ୍ୱର ସାହୁ । ବହୁ ଖୋଜାଖୋଜି ପରେ ଖଗେଶ୍ୱରଙ୍କର କୌଣସି ପତ୍ତା ମିଳିନଥିଲା ।
ତେବେ ତାଙ୍କ ବାପା କୁହନ୍ତି, "ପୁଅ ଖଗେଶ୍ବର ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିଲା ଏବଂ ଏହା ପୂର୍ବରୁ ଥରେ ଘର ଛାଡ଼ି ପଳାଇଥିଲା । ବହୁ ଖୋଜାଖୋଜି ପରେ ଖଗେଶ୍ବରକୁ ପାଇଥିଲୁ । ହେଲେ ୨୦୦୪ ମସିହାରେ ସେ କେଉଁଆଡେ ଚାଲିଯାଇଥିଲା, ତା'ପରେ ଯେତେ ଖୋଜାଖୋଜି କଲୁ ତାକୁ ପାଇଲୁ ନାହିଁ ।'
ଗତ ୨୦୦୪ ମସିହାରେ ପୁଣି ଥରେ ରାଉରକେଲା ସେକ୍ଟର ୨୦ରେ କୀର୍ତ୍ତନ ହେଉଥିବା ବେଳେ ଘର ଲୋକଙ୍କ ସହ ଦେଖିବାକୁ ଆସିଥିଲେ ଖଗେଶ୍ବର ଏବଂ ସେଠାରୁ ସେ କେଉଁ ଆଡକୁ ଚାଲି ଯାଇଥିଲେ । ପରିବାର ଲୋକେ ଖଗେଶ୍ବରଙ୍କୁ ଅନେକ ସ୍ଥାନରେ ଖୋଜିବାରେ ଲାଗିଲେ ଏବଂ କୁଆରମୁଣ୍ଡା ପୋଲିସ ଷ୍ଟେସନରେ ଏନେଇ ଏତଲା ମଧ୍ୟ ଦେଇଥିଲେ । ବହୁ ଖୋଜିବା ପରେ ମଧ୍ୟ ଖଗେଶ୍ବରଙ୍କ ପତ୍ତା ମିଳିପାରିନଥିଲା । କିନ୍ତୁ ହଠାତ ଏବେ ୧୯ବର୍ଷ ପରେ ପୁଅକୁ ପାଖରେ ପାଇ ବାପାମା' ଏବଂ ପରିବାରର ଭାଇ ଭାଉଜଙ୍କ ଖୁସି କହିଲେ ନ ସରେ । ଖଗେଶ୍ୱରଙ୍କୁ ଦେଖିବା ପାଇଁ ତାଙ୍କ ଘରେ ସାହିପଡିଶା ଓ ଗାଁ ଲୋକଙ୍କ ଭିଡ଼ ଲାଗିଛି । ଗ୍ରାମବାସୀ ସମସ୍ତେ ଖଗେଶ୍ୱରଙ୍କୁ ଦେଖି ବେଶ ଖୁସି ।