ରାଉରକେଲା:ରାଉରକେଲାରେ ଅଚଳ ହୋଇପଡୁଛି ବିମାନ ବନ୍ଦର । କୁହୁଡି ହେବା ଯୋଗୁଁ ବିମାନ ସେବା ସମ୍ପୂର୍ଣ୍ଣ ଠପ୍ ହେବା ଉପରେ ରହିଛି । ILS ମେସିନ ବିନା ହୋଇପାରୁନାହିଁ ବିମାନ ଲ୍ୟାଣ୍ଡିଂ । ଶୀତ ଦିନେ କୋହଲା ପାଗରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ଉଦଘାଟନ ହେବାର ୧୧ ମାସ ଉପରକୁ ବିତିଗଲା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଦୂର ହୋଇପାରି ନାହିଁ ଅସୁବିଧା । ଗୋଟିଏ ଏୟାରପୋର୍ଟକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଯାହା ଦରକାର ତାହା ଏପର୍ଯ୍ୟନ୍ତ ହୋଇପାରିନି ରାଉରକେଲା ବିମାନ ବନ୍ଦରରେ । ଯାହାଫଳରେ ବିମାନ ସେବା ଯୋଗାଇବାରେ ଅକ୍ଷମ ହେଉଛନ୍ତି କର୍ତ୍ତୃପକ୍ଷ ।
ରାଉରକେଲା ଏୟାରପୋର୍ଟରେ ଅବ୍ୟବସ୍ଥା । ଅବ୍ୟବସ୍ଥା ମଧ୍ୟରେ ନାହିଁ ନଥିବା ଅସୁବିଧାରେ ଚାଲିଛି ରାଉରକେଲା ଏୟାରପୋର୍ଟ । କୋହଲା ପାଗ ହେଲେ ବିମାନ ବନ୍ଦରରେ ଅବତରଣ କରିପାରୁନି ବିମାନ । ଭିଜିବିଲିଟି ନଥିବାରୁ ସଫଳ ଭାବରେ ଲ୍ୟାଣ୍ଡିଂ ହୋଇପାରୁନାହିଁ । ଅନେକ ସମୟରେ ବିମାନ ଅବତରଣ କରିବାରେ ଅସଫଳ ହେବା କାରଣରୁ ଲ୍ୟାଣ୍ଡିଂ ନକରି ଫେରିଯାଉଛି । ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ତେବେ ପୂର୍ବ ଘୋଷଣା ଅନୁଯାୟୀ ଗତ ୨୬ ତାରିଖରୁ ରାଉରକେଲାରୁ କୋଲକାତାକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିଲା । ସପ୍ତାହକୁ ତିନି ଦିନ ( ମଙ୍ଗଳବାର, ଗୁରୁବାର ଓ ଶନିବାର) ଚାଲିବ ବୋଲି ସମୟ ଧାର୍ଯ୍ୟ କରାଗଲା ।