ରାଉରକେଲା:ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ବାଦଲଗିରି ଜଳପ୍ରପାତରେ ଅଘଟଣ । ଗାଧୋଇବା ବେଳେ ବୁଡ଼ି ରାଉରକେଲା NITର ଜଣେ ଛାତ୍ର ନିଖୋଜ । ନିଖୋଜ ଯୁବକ ଜଣକ ଦେବଗଡ଼ ଜିଲ୍ଲା ବାରକୋଟ୍ ଥାନା ବଳିତା ଅଞ୍ଚଳର ଅକ୍ଷୟ ସାହୁଙ୍କ ପୁଅ ଜୟକୃଷ୍ଣ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ବଣାଇ ବନଖଣ୍ତ ଅଧୀନରେ ଥିବା ଏହି ଜଳପ୍ରପାତକୁ ଗତକାଲି ରାଉରକେଲାର ଛେଣ୍ତ ଅଞ୍ଚଳରୁ ୪ ଜଣ ବୁଲିବାକୁ ଆସିଥିଲେ । ସେମାନେ ହେଲେ ଜୟକୃଷ୍ଣସାହୁ, ଅଜୟ କୁମାର ସାହୁ, ଆଶିଷ କୁମାର ଠାକୁର, ପ୍ରତ୍ୟୁଷ ରଞ୍ଜନ ମହାନ୍ତି । ଜଳପ୍ରପାତରେ ଗାଧୋଉ ଥିବାବେଳେ ଜୟକୃଷ୍ଣ ଜଳପ୍ରପାତ ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ । ତାଙ୍କ ସହିତ ଯାଇଥିବା ସାଙ୍ଗମାନେ ବହୁ ଖୋଜାଖୋଜି କରି କୌଣସି ପତ୍ତା ନମିଳିବାରୁ ଗୁରୁଣ୍ତିଆ ପୁଲିସ ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରଖିଥିବା ଜଣାପଡିଛି ।
ସେପଟେ ପୋଲିସ ଅନ୍ୟ ତିନି ସାଙ୍ଗକୁ ଅଟକ ରଖି ଅଧିକ ପଚରାଉଚରା କରୁଥିବା ସୂଚନା ମିଳିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଚକିତ କରିଛି । ଏବେ ପର୍ଯ୍ୟଟନସ୍ଥଳୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉଦ୍ଧାରକାରୀ ଦଳ ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ୍ ଚଳାଇଛି । ତେବେ ଏହି ଜଣାଶୁଣା ପର୍ଯ୍ୟଟନସ୍ଥଳୀରେ ବାରମ୍ବାର ଦୁର୍ଘଟଣା ଓ ପାଣିରେ ବୁଡ଼ି ଯିବା ଭଳି ଘଟଣା ସାମ୍ନାକୁ ଆସୁଛି । ହେଲେ ଜଳପ୍ରପାତ ନିକଟରେ ନିକଟରେ କୌଣସି ସତର୍କ ସୂଚନାଫଳକ ଓ ଲାଇଫ୍ ଗାର୍ଡ ନରହିବା ଏକ ଗୁରୁତର ଚିନ୍ତାର କାରଣ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ସେହିପରି ଭବିଷ୍ୟତରେ ଏଭଳି ଦୁର୍ବିପାକକୁ ରୋକିବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।