ସୁନ୍ଦରଗଡ: ଆଜି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ ଜିଲ୍ଲାର ସଦର ବ୍ଲକ, ଟାଙ୍ଗରପାଲି ଓ ଗୁରୁଣ୍ଡିଆ ବ୍ଲକରେ ମଧ୍ୟ ଆଜି ପଞ୍ଚମ ବା ଅନ୍ତିମ ପର୍ଯ୍ୟାୟ ଭୋଟ ପଡୁଛି । ଏହି ବ୍ଲକଗୁଡିକ ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ଶେଷ ପର୍ଯ୍ୟାୟରେ କ୍ଷମତା ଦଖଲ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି ପ୍ରାର୍ଥୀ ।
ଟଙ୍କା ବାଣ୍ଟୁଥିଲେ ବିଜେପି ପ୍ରାର୍ଥୀ, ଧରିଲା ବିଜେଡି କିଛି ସ୍ଥାନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରାର୍ଥୀ ଟଙ୍କା ବାଣ୍ଟୁଥିବାର ଖବର ସାମ୍ନାକୁ ଆସିଛି । ସୁନ୍ଦରଗଡ ସଦର ବ୍ଲକ ‘କ’ ଜୋନର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରବୀଣ କୁମାର ନାଏକ ପୁଳା ପୁଳା ଟଙ୍କା ବାଣ୍ଟୁଥିବା ବେଳେ ଧରାପଡିଛନ୍ତି । ଟଙ୍କା ବଣ୍ଟନ ସମୟରେ ତାଙ୍କୁ ଅଟକ ରଖିଛନ୍ତି ବିଜେଡି କର୍ମୀ ।
ଅଭିଯୋଗ ଅନୁଯାୟୀ, ପ୍ରବୀଣ କୁମାର ରାତି ଅଧରେ କେତେ ଜଣ ସମର୍ଥକଙ୍କୁ ନେଇ ଟଙ୍କା ବାଣ୍ଟୁଥିଲେ । ଦୁଇ ହାତରେ ପୁଳା ପୁଳା ଟଙ୍କା ଧରିଥିବାବେଳେ କିଞ୍ଜିର୍ମାରେ ସେ ଧରା ପଡିଛନ୍ତି । ବିଜେଡି କର୍ମୀମାନେ ତାଙ୍କୁ ଅଟକ ରଖିବା ସହ ଘଟଣା ସଂପର୍କରେ ନିର୍ବାଚନ ପର୍ଯ୍ୟବେକ୍ଷକ, ଜିଲ୍ଲାପାଳ, ଏସପିଙ୍କୁ ଅବଗତ କରିଛନ୍ତି । ଏପରିକି ଏହି ଘଟଣା ସମୟର ଦୃଶ୍ୟକୁ ଲାଇଭ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି ।
ସେପଟେ ବିଜେପି ପ୍ରାର୍ଥୀଙ୍କ ଟଙ୍କା ବଣ୍ଟନର ଘଟଣା ଜଣାପଡିବା ପରେ ସଦର ଏସଡିପିଓ ସଂପୃକ୍ତ ପ୍ରାର୍ଥୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି । ପ୍ରାର୍ଥୀ ଜଣଙ୍କ ତାଙ୍କର କେତେଜଣ ସମର୍ଥକଙ୍କୁ ନେଇ ଏହି କାଣ୍ଡ କରିଥିବା କୁହାଯାଉଛି । ଘଟଣା ସ୍ଥଳରେ ପ୍ରାର୍ଥୀଙ୍କ କାରକୁ ମଧ୍ୟ ପୋଲିସ ଯାଞ୍ଚ କରୁଥିବା ନେଇ ସୂଚନା ମିଳିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ