ରାଉରକେଲା: ସମସ୍ୟା ଘେରରେ ସୁନ୍ଦରଗଡ ତସଲାଡିହି ଅଞ୍ଚଳର ଧାନ ଚାଷୀ । ବିନା ସୂଚନାରେ ଧାନ ମଣ୍ଡି କରାଯାଇଛି ସ୍ଥାନାନ୍ତରିତ ।
ସୂଚନାଥାଉକି, ଧାନ ମଣ୍ଡିକୁ ଧାନ ନେଇ ଚାଷୀମାନେ ଉପସ୍ଥିତ ହେବାପରେ ତାଙ୍କ ଧାନ ମଣ୍ଡି ଅନ୍ୟତ୍ର ବଦଳି କରାଯାଇଥିବା କଥା ଜାଣିବାକୁ ପାଇଥିଲେ । କାରଣ ସଂପର୍କରେ ସେମାନେ ପଚାରିବାରୁ ସେମାନଙ୍କୁ କୌଣସି ତଥ୍ୟ କିମ୍ବା ସ୍ପଷ୍ଟୀକରଣ ଦିଆଯାଇ ନଥିଲା । ଲ୍ୟାମ୍ପସ୍ ତରଫରୁ ତସଲାଡିହି ମଣ୍ଡିରୁ ଧାନ ଆଉ କିଣା ଯାଇପାରିବ ନାହିଁ ବୋଲି ଚାଷୀଙ୍କୁ ବିଳମ୍ବିତରେ ସୂଚିତ କରାଯାଇଥିଲା । ଏହାକୁ କେନ୍ଦ୍ର କରି ଧାନ ବିକ୍ରି କରିବାକୁ ଆସିଥିବା ଓ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ କରିଥିବା ଚାଷୀଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଥିଲା ।
ଖବରମୁତାବକ ଚାଷୀମାନେ ତାଙ୍କ ଧାନ କଟାକଟିକୁ ନେଇ ପାଟିତୁଣ୍ଡ କରିବାରୁ ସେହି ମଣ୍ଡିରୁ ଉକ୍ତ ମିଲର ଆଉ ଧାନ ଉଠାଇବ (ଲିଫ୍ଟିଂ ( lifting )) ନାହିଁ ବୋଲି ସେମାନଙ୍କୁ ସୂଚନା ମିଳିଥିଲା । ଏହା ଜାଣିବାପରେ ଚାଷୀମାନେ ଅଧିକ ଅସନ୍ତୋଷ ହୋଇଥିଲେ । ତେବେ ଏନେଇ ଲ୍ୟାମ୍ପସ ଏମ୍.ଡି କହିଛନ୍ତି ଯେ, ଉକ୍ତ ମଣ୍ଡି ସମ୍ମୁଖରେ ରାସ୍ତା ନିର୍ମାଣ ହେଉଛି । ରାସ୍ତା କାମ ଯୋଗୁଁ ବଡ ବଡ ଟ୍ରକ ଯିବାରେ ଅସୁବିଧାର ସମ୍ଭାବନା ଥିବାରୁ ଦିନକ ପାଇଁ ମଣ୍ଡିରୁ ଧାନ କିଣାବିକା ବନ୍ଦ କରାଯାଇଛି ।