ରାଉରକେଲା:ସୀମାନ୍ତରେ ପୁଣି ମାତିଲେ ନକ୍ସଲ । ପୁରୁଣା ସାଥୀଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଓଡିଶା ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ସମତା ଗାଁରେ ମାଓବାଦୀଙ୍କ ବର୍ବରକାଣ୍ଡ । ମଙ୍ଗଳବାର ବିଳମ୍ବିତ ରାତିରେ ପୂର୍ବ ସହଯୋଗୀକୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ନେଲ୍ସନ ଭେଙ୍ଗା(୩୬) ।
କେବଳ ଏତିକି ନୁହେଁ, ମୃତଦେହ ପାଖରେ ନକ୍ସଲ ପୋଷ୍ଟର ଛାଡ଼ି ଯାଇଛନ୍ତି । ଯେଉଁଥିରେ ସିପିଆଇ ମାଓବାଦୀ ସଙ୍ଗଠନ ନିଜକୁ ଦାୟୀ କରିଛି । ପୋଲିସକୁ ସୂଚନା ଦେଉଥିବା ଓ ସହାୟତା କରୁଥିବାରୁ ନେଲ୍ସନଙ୍କୁ ଏମିତି ଦଣ୍ଡ ଦିଆଗଲା ବୋଲି ପୋଷ୍ଟରରେ ଲେଖାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଠାରୁ ମାତ୍ର ୪୦ କିମି ଦୂର ସରଣ୍ଡା ଜଙ୍ଗଲ ନିକଟସ୍ଥ ସମଠା ଗାଁରେ ଏଭଳି ବର୍ବର କାଣ୍ଡ ଘଟିଛି । ଉଭୟ ସିଆର୍ପିଏଫ୍ ଓ ଝାଡ଼ଖଣ୍ଡ ପୋଲିସ ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ନକ୍ସଲମାନଙ୍କୁ ଧରିବାକୁ ସିଆର୍ପିଏଫ୍ ଓ ଝାଡ଼ଖଣ୍ଡ ପୋଲିସ ସ୍ଥାନୀୟ ଅଞ୍ଚଳରେ କୁମ୍ବିଂ ଅପରେସନ୍କୁ ଜୋରଦାର କରିଛି ।
ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ରାତି ପ୍ରାୟ ୧୧ଟାରେ ସଶସ୍ତ୍ର ନକ୍ସଲ ସମତା ଗାଁର ନେଲ୍ସନଙ୍କ ଘରକୁ ପଶିଥିଲେ । ନେଲ୍ସନ୍କୁ ଘର ଭିତରୁ ଜୋରଜବଦସ୍ତ ଟାଣିଟାଣି ନେଇ ଆସିଥିଲେ । ସେଠାରେ ନକ୍ସଲମାନେ ପ୍ରଥମେ ନେଲ୍ସନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ପରେ ତାଙ୍କ ଉପରକୁ ତିନି ରାଉଣ୍ଡଗୁଳି ଚଳାଇଥିଲେ । ଗୁଳିଗୁଡ଼ିକ ଛାତି, ମୁଣ୍ଡ ଓ ଦେହରେ ବାଜିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପ୍ରମାଣ ନଷ୍ଟ କରିବାକୁ ଯାଇ ତାଙ୍କର ମୋବାଇଲ ଏବଂ ପିନ୍ଧିଥିବା ପୋଷାକ ଜାଳି ଦେଇଥିଲେ ।