ରାଉରକେଲା:ଇସ୍ପାତ ନଗରୀ ରାଉରକେଲା ବିମାନ ବନ୍ଦରକୁ ଅବହେଳା । ଉଦଘାଟନର ଦୁଇ ମାସ ପରେ ବି ଦୂର ହୋଇପାରୁନି ଅସୁବିଧା । ହାଲୁକା ମେଘୁଆ ପାଗରେ ବିମାନ ବନ୍ଦରରୁ ଉଡିପାରୁନି ବିମାନ । କୌଣସି ବିମାନ ଅବତରଣ ମଧ୍ୟ କରିପାରୁନି । ଏଥିପାଇଁ ବିମାନ ବନ୍ଦରରେ ନାଇଟ ଲ୍ୟାଣ୍ଡିଂ ଓ ଆଇଏଲଏସ ବ୍ୟବସ୍ଥା ପାଇଁ ବାରମ୍ବାର ଦାବି ହୋଇଆସୁଛି । ହେଲେ ଏହି ସମସ୍ୟା ଦୂର କରିବାରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଫେଲ୍ ମାରିଛନ୍ତି । ତେଣୁ ସରକାର ବିମାନ ବନ୍ଦର ପ୍ରତି ଅବହେଳା କରୁଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଦୀର୍ଘଦିନରେ ଅପେକ୍ଷା ପରେ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ଦାବି ପୂରଣ ହେଲା । ରାଉରକେଲାଠାରେ ବିମାନ ବନ୍ଦର ନିର୍ମାଣ କରାଗଲା । ଏହାଦ୍ବାରା ରାଉରକେଲା ଓ ଆଖପାଖ ଅଞ୍ଚଳର ଲୋକ ବେଶ୍ ଉପକୃତ ହେଉଛନ୍ତି । କିନ୍ତୁ ଏହି ବିମାନ ବନ୍ଦରରେ ବିଭିନ୍ନ ସମସ୍ୟା ରହୁଛି ଯାହାଦ୍ବାରା ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରୁନି । ହାଲୁକା ମେଘୁଆ ପାଗରେ ଏଠାରେ ବିମାନ ଉଡାଣ କିମ୍ବା ଅବତରଣ କରିପାରୁ ନାହିଁ । ବିଶ୍ୱକପ ସମୟରେ ମଧ୍ୟ ପାଗ ଖରାପ ଥିବାରୁ ଖେଳାଳି ଟିମ୍ଙ୍କୁ ଏଠାରେ ଲ୍ୟାଣ୍ଡିଂ ବା ଟେକ-ଅଫ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । କିଛି ଟିମ୍ ଏବଂ ଯାତ୍ରୀ ଝାରସୁଗୁଡାରେ ଲ୍ୟାଣ୍ଡ କରି ରାଉରକେଲାକୁ ଆସିଥିଲେ । ସେହିଦିନ ଠାରୁ ଏହି ସମସ୍ୟା ଲାଗି ରହିଛି । କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ବିମାନ ବନ୍ଦରର ପରିଚାଳନା ଦାୟିତ୍ବରେ ଥିବା ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଏହି ସମସ୍ୟା ଦୂର କରିବାରେ ବିଫଳ ହୋଇଛନ୍ତି । ଫଳରେ ପାଗ ସାମାନ୍ୟ ମେଘୁଆ ହେବା ମାତ୍ରେ ବିମାନ ଯାତ୍ରୀ ଅସୁବିଧାରେ ପଡୁଛନ୍ତି ।