ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଆରମ୍ଭ ହୋଇଥିବା 'ମୋ ମାଟି ମୋ ଦେଶ' ଅଭିଯାନ ରାଉରକେଲାରେ ଆରମ୍ଭ ହୋଇଯାଇଛି । ଭାରତୀୟ ଜନତା ପାର୍ଟି ପକ୍ଷରୁ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ନେତୃତ୍ୱରେ ରାଉରକେଲା ବିଶ୍ରା ଛକଠାରେ ଏହି ଅଭିଯାନ ଆରମ୍ଭ ହୋଇ ଘରୁ ଘରୁ ମାଟି ସଂଗ୍ରହ କରାଯାଇଛି । ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରିବା ଏବଂ ରାଉରକେଲା ସହରବାସୀଙ୍କ ମଧ୍ୟରେ ଦେଶ ଭକ୍ତିର ଭାବନା ଜାଗ୍ରତ କରିବା ଏହି ଅଭିଜାନର ଉଦ୍ଦେଶ୍ୟ।
ଆଜି ସକାଳ ସମୟରେ ରାଉରକେଲା ବିଶ୍ରା ଛକରେ ବିଜେପି ସମର୍ଥକମାନେ ଜୁଏଲ ଓରାମଙ୍କ ନେତୃତ୍ୱରେ ଅଭିଯାନରେ ସାମିଲ ହୋଇ ଏକ ସମାବେଶ ହୋଇଥିଲା । ଏହାପରେ ପଦଯାତ୍ରା କରାଯାଇ ମାଟି ସଂଗ୍ରହ କରାଯାଇଥିଲା । ସଂଗୃହିତ ମାଟିକୁ ପ୍ରଥମେ ମହାନଗର ନିଗମଠାରେ ରଖାଯାଇ ଭୁବନେଶ୍ବରକୁ ପଠାଯିବ । ଏହାପରେ ଦିଲ୍ଲୀର ଅମୃତ ବାଟିକାକୁ ନିଆଯିବ ଏବଂ ସେଠାରେ ଶହୀଦଙ୍କ ନାମରେ ସମର୍ପିତ କରାଯିବ । ଏହି ଅଭିଯାନ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ କିମ୍ବା ଗୋଷ୍ଠୀ ମଧ୍ୟରେ ସୀମିତ ନୁହେଁ । ପ୍ରତ୍ୟେକ ନାଗରିକ ଆଗକୁ ଆସି ଏହା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆହ୍ବାନ ଦେଇଛନ୍ତି ସାଂସଦ ଜୁଏଲ ଓରାମ । ଅଭିଯାନରେ ଭାଗ ନେଉଥିବା ବିଜେପି କର୍ମୀ ଏବଂ ସ୍ୱେଚ୍ଛାସେବୀମାନେ ରାଉରକେଲାର ବିଭିନ୍ନ ସ୍ଥାନରୁ ମାଟି ସଂଗ୍ରହ ଜାରି ରଖିଛନ୍ତି ।