ସୁନ୍ଦରଗଡ:ଗୋଟିଏ ପରିବାରର ତିନି ମୃତ । ଝିଅକୁ ହତ୍ୟା କରିବା ପରେ ମା’ର ଆତ୍ମହତ୍ୟା । ସ୍ୱାମୀର ଝୁଲନ୍ତା ମୃତଦେହ କେନ୍ଦୁଝର ଜିଲ୍ଲା ରୁଗୁଡି ଜଙ୍ଗଲରୁ ଉଦ୍ଧାର । ଉରକେଲା ପୋଲିସ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ନ୍ୟୁ-ଗାର୍ଡେନ କଲୋନୀରେ ଘଟିଛି ଏହି ଘଟଣା । ନ୍ୟୁ-ଗାର୍ଡେନ କୋଲୋନୀ ମସଜିଦ ସମ୍ମୁଖ ଭଡା ଘରୁ ମା ଓ ଝିଅର ମୃତଦେହ ଉଦ୍ଧାର ହେବାର କିଛି ଘଣ୍ଟା ପରେ ସ୍ୱାମୀର ମୃତଦେହ କେନ୍ଦୁଝର ଜିଲ୍ଲା ରୁଗୁଡି ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତକମାନେ ଜଗତସିଂହପୁର ଜିଲ୍ଲାର ବୋଲି କୋଇଡା ପୋଲିସ କହିଛି ।
ଗୋଟିଏ ପରିବାର ସ୍ୱାମୀ, ସ୍ତ୍ରୀ ଓ ତିନି ବର୍ଷର କୁନି ଝିଅ ଗତ ତିନି ବର୍ଷଧରି କୋଇଡା ନ୍ୟୁ ଗାର୍ଡେନ କଲୋନୀ ଅଞ୍ଚଳରେ ଏକ ଭଡା ଘରେ ରହି ଆସୁଥିଲେ । ସ୍ୱାମୀ ପ୍ରହଲ୍ଲାଦ ସାହାଣୀ ଓ ସ୍ତ୍ରୀ ରଞ୍ଜିତା ସାହାଣୀଙ୍କ ମଧ୍ୟରେ ଗତ ମଙ୍ଗଳବାର ରାତ୍ରରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଏଥିରେ ଘର ମାଲିକ ଉତ୍ତକ୍ଷିପ୍ତ ହୋଇ ପ୍ରହଲ୍ଲାଦଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲା । ତେବେ ପ୍ରହଲ୍ଲାଦ ବୁଧବାର ସକାଳ ସମୟରୁ କେଉଁଆଡେ ଚାଲି ଯାଇଥିଲେ । ଆଜି (ଗୁରୁବାର)ସକାଳେ ଘର ଡେରି ପର୍ଯ୍ୟନ୍ତ ନଖୋଲିବାରୁ ପଡୋଶୀ ସନ୍ଦେହ କରି ପ୍ରଥମେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ତହସିଲଦାର ପହଞ୍ଚି କବାଟ ଖୋଲିବା ପରେ ରଞ୍ଜିତା ସାହାଣୀଙ୍କ ଝୁଲନ୍ତା ମୃତଦେହ ନିକଟରେ ଥିବା ଖଟ ଉପରେ ଏବଂ ତିନି ବର୍ଷ ଝିଅର ମୃତଦେହ ପଡି ରହିଥିବା ଦେଖିବାକୁ ପାଇଥିଲେ ।