ରାଉରକେଲା: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରିଛି ଖଣ୍ଡାଧାର ଜଳପ୍ରପାତ । ନୂଆବର୍ଷରେ ଖଣ୍ଡାଧାର ଜଳପ୍ରପାତର ମଜା ନେଉଛନ୍ତି ପର୍ଯ୍ୟଟକ । ପ୍ରକୃତିର ସମ୍ଭାରକୁ ଉପଭୋଗ କରିବାକୁ ଦୂରଦୁରାନ୍ତରୁ ଛୁଟି ଆସୁଛନ୍ତି ଲୋକେ । ଖଣ୍ଡାଧାର ଜଳ ପ୍ରପାତର ଉଚ୍ଚ ପାହାଡ଼ରୁ ଝରଝର ଶବ୍ଦରେ ବହୁଛି ଝରଣା । ଏହା ସାଙ୍ଗକୁ ଘଞ୍ଚ ଜଙ୍ଗଲରେ ବଣଭୋଜିର ମଜା ନେଉଛନ୍ତ ପର୍ଯ୍ୟଟକ ।
ସୁନ୍ଦରଗଡ ଜିଲ୍ଲାର ଲହୁଣୀପଡ଼ା ବ୍ଲକ ତାଳଵାହାଳି ପଞ୍ଚାୟତ ଲଡାପାଣିରେ ରହିଛି ଖଣ୍ଡାଧାର ଜଳପ୍ରପାତ । ପ୍ରକୃତି କୋଳରେ ସୁନ୍ଦର ସବୁଜ ବନାନୀ ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ସମାହାର ଏହି ଜଳପ୍ରପାତ । କେବଳ ରାଜ୍ୟ ନୁହେଁ ବରଂ ସମଗ୍ର ଦେଶର ପର୍ଯ୍ୟଟନ ମାନଚିତ୍ରରେ ଖଣ୍ଡାଧାରକୁ ମିଳିଛି ପରିଚୟ । ଏହାର ଉଚ୍ଚତା ୨୪୪ ମିଟର ହୋଇଥିବା ବେଳେ ରାଜ୍ୟର ଦ୍ବିତୀୟ ତଥା ଦେଶର ନବମ ଉଚ୍ଚତମ ଜଳପ୍ରପାତ ହେଉଛି ଖଣ୍ଡାଧାର । ଜଳ ପ୍ରପାତର ପାଦଦେଶରେ ରହିଛି ଶିଶୁ ଉଦ୍ୟାନ, ପାର୍କ, ତା ସହିତ ବଣ ଭୋଜି ପାଇଁ ନିର୍ମିତ ବଡ଼ବଡ଼ ବୃକ୍ଷ ତଳେ ପିଣ୍ଡିର ବ୍ୟବସ୍ଥା । ଝରଣାର କୁଳୁକୁଳୁ ନାଦ ସହ ସୌନ୍ଦର୍ଯ୍ୟଭରା ଦୃଶ୍ୟରେ ବିଭୋର ହେଉଛନ୍ତି ପର୍ଯ୍ୟଟକ । ସବୁଜ ବନାନୀ ଓ ଶୀତ ଦିନର ମନୋରମ ପ୍ରାକୃତିକ ଶୋଭା ହିଁ ଖଣ୍ଡାଧାରର ବିଶେଷତ୍ଵ । ଖଣ୍ଡାଧାରର ପ୍ରାକୃତିକ ପରିବେଶ ମଧ୍ୟରେ ଉଚ୍ଚ ପାହାଡ଼ରୁ ଝରି ଆସୁଥିବା ନିର୍ମଳ ଜଳରାଶି ମନମୁଗ୍ଧ କରିଥାଏ । ଦୁଇ ବର୍ଷ ହେବ କୋରୋନା କଟକଣା ପାଇଁ ଫିକା ପଡିଥିବା ନୂଆବର୍ଷରେ ଏଠାରେ ବେଶ୍ ମଜା ନେଇଥିଲେ ପର୍ଯ୍ୟଟକ । ଖଣ୍ଡାଧାର ଜଳପ୍ରପାତ ବୁଲିବା ପାଇଁ ଶୀତ ଋତୁ ଉପଯୁକ୍ତ ସମୟ ।