ରାଉରକେଲା:ସେଣ୍ଟ୍ରାଲ୍ ଜିଏସଟି ବିଭାଗ ହାତରେ ଧରା ପଡ଼ିଲା ଠକ ବ୍ୟବସାୟୀ । ଫେକ୍ କମ୍ପାନୀ କରି କୋଟିକୋଟି ଟଙ୍କାର ଜିଏସ୍ଟି ଫାଙ୍କୁଥିବା ଅଭିଯୋଗରେ ଗିରଫ କରିଛି କେନ୍ଦ୍ରୀୟ ସଂସ୍ଥା । ଅଭିଯୁକ୍ତ ଜଣକ ହେଲେ ରାକେଶ କାନୋଡ଼ିଆ । ତାଙ୍କ ନିକଟରୁ ୧୨ଟି କମ୍ପାନୀ ସହ କାରବାର କରିଥିବା ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରିଛି ଜିଏସଟି ବିଭାଗ । ରାକେଶ ଜିନିଷପତ୍ର ବିକ୍ରି ନକରି ଏସବୁ କମ୍ପାନୀ ସହ କାଗଜପତ୍ରରେ ମୋଟ ୫୫ କୋଟି ଟଙ୍କାର କାରବାର ଦର୍ଶାଇଥିଲେ । ଏ ଘଟଣାରେ ମୋଟ ୮ କୋଟି ୭୦ ଲକ୍ଷ ଟଙ୍କାର ଜିଏସ୍ଟି ଠକେଇ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ରାକେଶ ବରସୁଆଁ ବଜାରରେ ଟ୍ୟୁବ୍, ଟାୟାର, ମୋବିଲ, ସିମେଣ୍ଟ ଓ ଲୁହା ରଡ୍ ବ୍ୟବସାୟ କରନ୍ତି । ସେ ତାଙ୍କ ବଡ଼ଭାଇ ରାଜେଶ କୁମାର କାନୋଡିଆଙ୍କ ନାଁରେ 'ମେର୍ସସ ଧନବର୍ଷି ଏଣ୍ଟରପ୍ରାଇଜେସ୍' ନାଁରେ ଏକ ନକଲି କମ୍ପାନୀ ଖୋଲିଥିଲେ । ଅଫିସ୍ ଠିକଣା ନାଗାଲାଣ୍ଡ ଓ ଆସାମ ଥିବାବେଳେ ସୁନ୍ଦରଗଡ଼ରେ କମ୍ପାନୀ ଚାଲିଥିଲା । ବରସୁଆଁରେ କମ୍ପାନୀର ମ୍ୟାନେଜର ଥିଲେ ଟ୍ରକ ଡ୍ରାଇଭର ମନୋଜ କୁମାର ଠାକୁର । ଜିଏସଟି ଠକେଇରେ ଓଡ଼ିଶାର ପେଣ୍ଠସ୍ଥଳ ପାଲଟିଛି ସ୍ମାର୍ଟସିଟି ରାଉରକେଲା । ନକଲି ବିଲ୍ ଜରିଆରେ ୮ କୋଟି ୭୦ ଲକ୍ଷ ଟଙ୍କା ଜିଏସ୍ଟି ଫାଙ୍କିବା ଅଭିଯୋଗରେ କେନ୍ଦ୍ରୀୟ ଜିଏସ୍ଟି ଟିମ୍ ଜଣଙ୍କୁ ଗିରଫ କରିଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅନ୍ତର୍ଗତ ବରସୁଆଁ ବାଙ୍କା ବଜାରର ରାକେଶ କୁମାର କାନୋଡ଼ିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟିମ୍ ।
ଏହି ନକଲି କମ୍ପାନୀ ଜରିଆରେ ଜିନିଷପତ୍ର ବିକ୍ରି ନକରି କାଗଜପତ୍ର ଜରିଆରେ କୋଟି କୋଟି ଟଙ୍କାର କାରବାର ଦର୍ଶାଇଥିଲେ ଅଭିଯୁକ୍ତ । ଗତ କିଛି ମାସ ଧରି ଏହି ନକଲି କମ୍ପାନୀ ୧୨ରୁ ଅଧିକ କମ୍ପାନୀ ସହ ୫୫ କୋଟି ଟଙ୍କାର କାରବାର କରଇଥିଲା । କିନ୍ତୁ ଏମାନଙ୍କୁ କୌଣସି ସାମଗ୍ରୀ ବିକ୍ରି କରିନଥିବା ଯାଞ୍ଚରୁ ଜଣାପଡ଼ିଥିଲା । ଗୁପ୍ତ ସୂଚନା ଆଧାରରେ ଗତକାଲି କେନ୍ଦ୍ରୀୟ ଜିଏସଟି ଟିମ୍ ବରସୁଆଁଠାରେ ଥିବା ଏହି ବ୍ୟବସାୟିକ ଅନୁଷ୍ଠାନ ଉପରେ ଚଢ଼ାଉ କରିଥିଲା ଏବଂ ରାକେଶ କାନୋଡ଼ିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।