ରାଉରକେଲା: ହାତୀ ଘଉଡାଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହେଲେ ବନବିଭାଗ କର୍ମଚାରୀ । ସୁନ୍ଦରଗଡ଼ ଜିଲ୍ଲା ଜରଡା ରେଞ୍ଜର କଂସର ନିକଟର ରାଇତିରି ଜଙ୍ଗଲରେ ଏଭଳି ଘଟଣା ଘଟିଛି । ବନ ବିଭାଗ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗୁରୁତର ଆହାତ ହୋଇଛନ୍ତି । ହାତୀ ଘଉଡାଇବା କାମରେ ଜଙ୍ଗଲରେ ଥିବା ବେଳେ ହାତୀ ସହ ମୁହାଁମୁହିଁ ହୋଇ ଗୁରୁତର ଆହତ ହୋଇଛନ୍ତି ବନ ବିଭାଗ କର୍ମଚାରୀ । ତାଙ୍କ ଗୋଡ଼ ଏବଂ ଛାତିରେ ଗଭୀର ଆଘାତ ଲାଗିଛି ।
ସୂଚନା ଅନୁଯାୟୀ, ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ଫରେଷ୍ଟ ରେଞ୍ଜରେ ହାତୀମାନଙ୍କ ଗତିବିଧି ବୃଦ୍ଧି ପାଉଥିବା ବେଳେ ଜଙ୍ଗଲ ଛାଡି ବର୍ତ୍ତମାନ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ହାତୀ । ତେଣୁ ହାତୀକୁ ଗାଁ ନିକଟରୁ ଘଉଡ଼ାଇ ଘଞ୍ଚ ଜଙ୍ଗଲକୁ ଫେରାଇବା ପାଇଁ ପାଟ୍ରୋଲିଂ ଚାଲିଥିବା ବେଳେ ଘଟିଛି ଏଭଳି ଅଘଟଣ । ଜଙ୍ଗଲରେ ହାତୀପଲଙ୍କ ଗତିବିଧିକୁ ଟ୍ରାକ୍ କରୁଥିବା ବେଳେ ଏକ ୧୫ ଟିକିଆ ହାତୀ ପଲ ହାବୁଡ଼ରେ ପଡିଥିଲେ ବନ କର୍ମଚାରୀ । ତେବେ ହାତୀକୁ ଘଉଡାଇବାକୁ ଚେଷ୍ଟା କରୁଥିବା ବେଳେ ହାତୀପଲ ଉଗ୍ର ହୋଇ ପାଲଟା ଆକ୍ରମଣ କରିଥିଲେ। ଏହି ପାଟ୍ରୋଲିଂରେ ସାମିଲ ଥିବା ସମସ୍ତ ବନ ବିଭାଗ କର୍ମଚାରୀ ଦଉଡି ପଳାଇଥିବା ବେଳେ ଗଗନ ନାୟକ ନାମକ ବନ ବିଭାଗ କର୍ମଚାରୀ ହାତୀ ହାବୁଡ଼ରେ ପଡି ଯାଇଥିଲେ ।
ହାତୀ ଆକ୍ରମଣରେ ବନ ବିଭାଗ କର୍ମଚାରୀ ଗୁରୁତର ଭାବରେ ଆହତ ହୋଇଥିଲେ । ଘଟଣାସ୍ଥଳରେ ଅନ୍ୟ ବନ କର୍ମଚାରୀ ହାତୀକୁ ଘଉଡାଇଥିଲେ । ବନକର୍ମଚାରୀଙ୍କୁ ହାତୀ କବଳରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।