ପୁରୀ:ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ନେଇ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି । ଶ୍ରୀକ୍ଷେତ୍ର ଦିବ୍ୟାଙ୍ଗ ସେବା ସଂଗଠନ ପୁରୀ ପକ୍ଷରୁ ଏନେଇ ଦାବି କରାଯାଇଛି । ସଂଗଠନର ସଦସ୍ୟମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଯାଇ ମୁଖ୍ୟ ପ୍ରଶାସକଙ୍କୁ ଭେଟିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ପ୍ରଶାସନ ପକ୍ଷରୁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନଥିବାରୁ ମହାପ୍ରଭୁଙ୍କ ଦର୍ଶନ ନପାଇ ନିରାଶ ହୋଇ ଫେରୁଛନ୍ତି । ତେଣୁ ଉତ୍ତର ଦ୍ବାର ଦେଇ ପ୍ରବେଶ ପାଇଁ ବ୍ୟବସ୍ଥା କରାଗଲେ ମହାପ୍ରଭୁଙ୍କ ଦର୍ଶନ ସହ ଦିବ୍ୟାଙ୍ଗ ଭକ୍ତ ମାନେ ଆଶିଷ ମଧ୍ୟ ଲାଭ କରିପାରିବେ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି ।
ତେବେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ସୁବିଧା ପାଇଁ ପୂର୍ବରୁ ଅନେକ ଦାବି ହୋଇ ଆସୁଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ । ଅନେକଥର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲେ ମଧ୍ୟ ଏହି ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହେଉନାହିଁ । ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ଶ୍ରୀମନ୍ଦିରରେ କେତେକ ସେବାୟତ ନୀତିକାନ୍ତିରେ ବାଧା ଉପୁଜିବା ପ୍ରସଙ୍ଗ ଉଠାଇବାରୁ ଏନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ ।