ସୁନ୍ଦରଗଡ: ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଲୋକଙ୍କୁ ସଚେତନତା କରିବା ନେଇ କଂଗ୍ରେସ ଅଭିଯାନ ଆରମ୍ଭ କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଦେଇଛି ସୂଚନା । ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ତଥା ବର୍ତ୍ତମାନର ସୁନ୍ଦରଗଡର ବିଜୟୀ ଲୋକ ନେତାଙ୍କ ଉଦାସୀନତା ଓ ସ୍ଥାଣୁତାକୁ କେନ୍ଦ୍ର କରି ଜିଲ୍ଲା କଂଗ୍ରେସ କମିଟି ତାର ଆନ୍ଦୋଳନର ପନ୍ଥା ଆପଣେଇଛି । ସୁନ୍ଦରଗଡରେ ରାଜ୍ୟର ଦ୍ୱିତୀୟ AIIMS ପ୍ରତିଷ୍ଠା ଦାବି, ଇବ୍ ନଦୀ ଉପରେ ତୁରନ୍ତ ବ୍ୟାରେଜ ନିର୍ମାଣ ଦାବି,DMF ପାଣ୍ଠିର ସଦୁପଯୋଗ ଦାବି ଓ ପୌରପାଳିକାର ଅତ୍ୟନ୍ତ ନୈରାଶ୍ୟ ଜନକ କାର୍ଯ୍ୟ କଳାପ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି ।
ଆସନ୍ତା 7 ତାରିଖରେ ରାଜରାସ୍ତାକୁ ଓହ୍ଲାଇବା ସହ ସୁନ୍ଦରଗଡ ସହରକୁ 12 ଘଣ୍ଟା ଧରି ବନ୍ଦ କରିବା ନେଇ ଦେଇଛି ସୂଚନା । ସରକାର ଓ ଜିଲ୍ଲା ପ୍ରଶାସନ ଯଦି ଦାବି ପୂରଣ ନ କରନ୍ତି ତେବେ କଂଗ୍ରେସ କମିଟି ଏହି ଆନ୍ଦୋଳନ ଜାରି ରଖିବ ବୋଲି ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝି ଓ ଜିଲ୍ଲା କଂଗ୍ରେସ କମିଟିର ସଭାପତି ବେଣୁ ମାଧବ ତ୍ରିପାଠୀ କହିଛନ୍ତି । ସୁନ୍ଦରଗଡର କଂଗ୍ରେସ ଦଳ ସୁନ୍ଦରଗଡର ସର୍ବାଙ୍ଗୀନ ଉନ୍ନତି ନେଇ ସବୁବେଳେ ସଂଗ୍ରାମ କରି ବିଜୟୀ ହୋଇଛି ।