ଓଡିଶା

odisha

ETV Bharat / state

ଷ୍ଟିଲ ହକି ମୂର୍ତ୍ତି ଭାଙ୍ଗିବା ଘଟଣା; ତେଜିବାରେ ଲାଗିଛି ରାଜନୀତି, କଂଗ୍ରେସର ଭିଜିଲାନ୍ସ ତଦନ୍ତ ଦାବି

ରାଉରକେଲା ବିମାନ ବନ୍ଦର ନିକଟରେ ଥିବା ହକି ଷ୍ଟିଲ ମୂର୍ତ୍ତି ଭାଙ୍ଗିବା ଘଟଣା । ରାଉରକେଲା ମହାନଗର ନିଗମକୁ ଦାୟୀ କରିବା ସହ କଂଗ୍ରେସ ଭିଜିଲାନ୍ସ ତଦନ୍ତ ଦାବି କରିଛି । ଅଧିକ ପଢନ୍ତୁ

By

Published : Jun 13, 2023, 5:14 PM IST

Updated : Jun 13, 2023, 7:38 PM IST

Etv Bharat
Etv Bharat

ଷ୍ଟିଲ ହକି ମୂର୍ତ୍ତି ଭାଙ୍ଗିବା ଘଟଣା

ରାଉରକେଲା:ସହରର ବିମାନ ବନ୍ଦରରେ ଥିବା ବିଶାଳ ଷ୍ଟିଲ ଷ୍ଟାଚ୍ୟୁ ଭାଙ୍ଗିବା ଘଟଣାକୁ ନେଇ ତେଜୁଛି ବିବାଦ। ଅଳ୍ପ ବର୍ଷା ଏବଂ ପବନରେ ଦୁଇ ଦିନ ତଳେ ଭାଙ୍ଗିପଡିଥିଲା ଏହି ୪୦ ଫୁଟ ଉଚ୍ଚତା ବିଶିଷ୍ଟ ଷ୍ଟିଲର ମୂର୍ତ୍ତି । ୫ ମାସ ତଳେ ହକି ବିଶ୍ବକପ ପାଇଁ ତିଆରି ହୋଇଥିବା ମୂର୍ତ୍ତି ଭାଙ୍ଗିବା ପରେ ନିମ୍ନମାନର ନିର୍ମାଣ ଶୈଳୀକୁ ନେଇ ସରକାରଙ୍କୁ ସମାଲୋଚନା କରାଯାଇଛି । କଂଗ୍ରେସ ପକ୍ଷରୁ ଭିଜିଲାନ୍ସ ତଦନ୍ତ ନେଇ ଦାବି ଉଠିଥିବା ବେଳେ ମୂର୍ତ୍ତିକୁ ଅସାମାଜିକ ଲୋକେ କାଟିବାକୁ ଚେଷ୍ଟା କରୁଥିବାରୁ ମୂର୍ତ୍ତି ପଡିଥିବା ନେଇ ଅଭିଯୋଗ ହୋଇଛି । ସେପଟେ ପୋଲିସର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

ସାମାନ୍ୟ ବର୍ଷା ପବନରେ ଭାଙ୍ଗି ପଡ଼ିଥିବା ଏହି ପ୍ରତିମୂର୍ତ୍ତିରେ ୩୬ ଲକ୍ଷ ଟଙ୍କାର ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି। କଂଗ୍ରେସ ଦଳ ଏହି ଘଟଣାର ଭିଜିଲାନ୍ସ ତଦନ୍ତ ଦାବି କରି ରାଉରକେଲା ଭିଜିଲାନ୍ସ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ସିଧାସଳଖ ରାଉରକେଲା ମହାନଗର ନିଗମ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଛି ଦଳ । ଏହି ମୂର୍ତ୍ତି ନିର୍ମାଣକୁ ନେଇ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ଷ୍ଟିଲ ପ୍ରତିମୂର୍ତ୍ତିର ମୂଲ୍ୟ ଓ ଗୁଣବତ୍ତାକୁ ନେଇ କିଛି ରାଜନୈତିକ ଦଳ ପ୍ରଶ୍ନ ଉଠାଇବା ପରେ ବିବାଦ ଆରମ୍ଭ ହୋଇଥିଲା । ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାୟୀ ସଂସ୍ଥା ରାଉରକେଲା ମହାନଗର ନିଗମ ବିରୋଧରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ ଆସିଛି ।

ଏହା ବି ପଢନ୍ତୁ- ସହିପାରିଲାନି ବର୍ଷା ପବନ: ଭାଙ୍ଗିଲା ହକି ଖେଳାଳୀଙ୍କ ମୂର୍ତ୍ତି, ବିଶ୍ବକପ ବେଳେ ତିଆରି ହୋଇଥିଲା

ମୂର୍ତ୍ତି ନିର୍ମାଣ ସମୟରେ ଅର୍ଥର ଅପବ୍ୟବହାର ହୋଇଛି କି ନାହିଁ, ସେ ସମ୍ପର୍କରେ ଆଲୋକପାତ କରିବା ପାଇଁ ଭିଜିଲାନ୍ସ ତଦନ୍ତ କରିବାକୁ ରାଜନୈତିକ ଦଳ କଂଗ୍ରେସ ଦାବି କରିଛି । ଏହି ମୂର୍ତ୍ତି ନିର୍ମାଣ ଠିକା ପ୍ରଦାନରେ କୌଣସି ଦୁର୍ନୀତି ହୋଇଛି କି ନାହିଁ ଏବଂ ପ୍ରତିମୂର୍ତ୍ତି ନିର୍ମାଣରେ ବ୍ୟବହୃତ ସାମଗ୍ରୀର ମାନ କଣ ରହିଛି, ତାହା ତଦନ୍ତରେ ନିର୍ଣ୍ଣୟ ହେବା ଆବଶ୍ୟକ ବୋଲି ଦଳ ଦୃଢୋକ୍ତି ପ୍ରକାଶ କରିଛି । ସେପଟେ ଅସାମାଜିକ ବ୍ୟକ୍ତି ମୂର୍ତ୍ତିକୁ କାଟୁଥିବାରୁ ମୂର୍ତ୍ତିଟି ଭାଙ୍ଗି ପଡ଼ିଥିବା ପାଲଟା ଅଭିଯୋଗ କରିଛି ରାଉରକେଲା ମହାନଗର ନିଗମ । ଭଙ୍ଗାରୁଜା ଘଟଣାକୁ ଦୁର୍ନୀତି ଅଭିଯୋଗଠାରୁ ଅଲଗା ଦର୍ଶାଇ ରାଉରକେଲା ମହାନଗର ନିଗମ ପକ୍ଷରୁ କୁହାଯାଇଛି ଯେ, ଏଥିରେ ହୋଇଥିବା କ୍ଷୟକ୍ଷତି ପାଇଁ କେବଳ ଦୁର୍ବୃତ୍ତମାନେ ଦାୟୀ ।

ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ଏହି ଭଙ୍ଗାରୁଜା ଉଦ୍ୟମରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ରାଉରକେଲା ପୋଲିସ ତଦନ୍ତ ଆରମ୍ଭ କରିଛି ବୋଲି ରାଉରକେଲା SP କହିଛନ୍ତି । କର୍ତ୍ତୃପକ୍ଷ ସକ୍ରିୟ ଭାବେ ଘଟଣାର ତଦନ୍ତ କରିବା ସହ ଦୋଷୀଙ୍କୁ ଦଣ୍ଡ ଦେବାକୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅପରାଧୀଙ୍କୁ ଧରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ଏସପି ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ରାଉରକେଲା ମହାନଗର ନିଗମ ଏହି ମୂର୍ତ୍ତି ଭାଙ୍ଗିବା ଘଟଣାକୁ ସ୍କାମ ସହ କୌଣସି ସମ୍ପର୍କ ନଥିବା କହୁଥିବା ବେଳେ କଂଗ୍ରେସ ଦଳ କିନ୍ତୁ ଭିନ୍ନ ମତ ପୋଷଣ କରୁଛି । ଅସାମାଜିକ ଲୋକଙ୍କୁ ଦାୟୀ କରି ମହାନଗର ନିଗମ ଏହି ଦୁର୍ନୀତିରୁ ଦୃଷ୍ଟି ହଟାଇବାକୁ ଚେଷ୍ଟା କରୁଥିବା ଦଳ ଅଭିଯୋଗ କରିଛି।

ଇଟିଭି ଭାରତ, ରାଉରକେଲା

Last Updated : Jun 13, 2023, 7:38 PM IST

ABOUT THE AUTHOR

...view details