ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ପରୋକ୍ଷରେ ବିରୋଧ କରି ଭାରତୀୟ ଜନତା ପାର୍ଟି ଫେବ୍ରୁଆରୀ 13 ତାରିଖରେ ସୁନ୍ଦରଗଡ଼ରେ 3 ଘଣ୍ଟିଆ ଚକାଜାମ କରିଥିଲା। ଏହାପରେ ଉଭୟ ବିଜେପି ଓ ବିଜେଡିକୁ ବିରୋଧ କରି ଫେବ୍ରୁଆରୀ 15 ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ତେବେ ରାଜ୍ୟରେ କେବଳ ଏକ ଆଗ ଧାଡ଼ିର ବିରୋଧି ସଜେଇ ହେବାକୁ ଉଭୟ କଂଗ୍ରେସ ଓ ବିଜେପି ଏଭଳି ଆନ୍ଦୋଳନ ଓ ବନ୍ଦ ଡାକରା ଦେଉଥିବା ଥିବା କଥା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ସୁନ୍ଦରଗଡ଼ ଗସ୍ତରେ ଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏହି ଅବସରରେ ସେ କଂଗ୍ରେସ ଓ ବିଜେପିର ଆନ୍ଦୋଳନକୁ ନେଇ ସେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, "ମୁଖ୍ୟମନ୍ତ୍ରୀ କୌଣସି ଅନାବଶ୍ୟକ ଯୋଜନା କରୁନାହାନ୍ତି। କେଉଁ ଯୋଜନା ଅନାବଶ୍ୟକ କଂଗ୍ରେସ ଓ ବିଜେପି ସ୍ପଷ୍ଟ କରନ୍ତୁ। ରାଜ୍ୟରେ ବିଜେଡିର ମୁଖ୍ୟ ବିରୋଧି ହେବା ପାଇଁ କଂଗ୍ରେସ ଓ ବିଜେପି ପ୍ରତିଦ୍ବନ୍ଦିତା କରୁଛନ୍ତି। ଏଥିରେ ବିଜେଡିର କିଛି ଯାଏଆସେ ନାହିଁ। ଫେବ୍ରୁଆରୀ 16 ତାରିଖରେ ମୁଖ୍ୟମନ୍ତ୍ରୀ ସୁ୍ନ୍ଦରଗଡ଼ ଗସ୍ତ ଆସି ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ।"