ରାଉରକେଲା:ସ୍ଥାନୀୟ ବିପିୟୁଟି କ୍ୟାମ୍ପସ ପରିସରରେ ନିର୍ମାଣ ହେବାକୁ ଯାଉଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଶୁକ୍ରବାର ଭୂମିପୂଜା ହୋଇଛି । ଫଳରେ ସୁନ୍ଦରଗଡ଼ ଜିଲ୍ଲା ଏବଂ ଓଡ଼ିଶା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ଆଣିବାକୁ ଯାଉଥିବା ଏହି ଐତିହାସିକ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ କାମ ଶୁକ୍ରବାର ଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି।
ଏହି ଭୂମିପୂଜା କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ଏବଂ ଇଡକୋ ରାଉରକେଲା ଡିଭିଜନ ମୁଖ୍ୟ ବିଜୟ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏଠାରେ ୨୦୨୩ ପୁରୁଷ ହକି ବିଶ୍ବକପ ଖେଳାଯିବାକୁ ଥିବାରୁ ଏହି ଷ୍ଟାଡିୟମକୁ ରେକର୍ଡ ସମୟ ଭିତରେ ନିର୍ମାଣ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଗତ ଫେବ୍ରୁଆରି ମାସରେ ରାଉରକେଲାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ଷ୍ଟାଡିୟମର ଶିଳାନ୍ୟାସ କରି ଏହାକୁ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରିଥିଲେ। ଏଠାରେ ଅନ୍ତର୍ଜାତୀୟ ହକି ଫେଡେରେସନ ମାନର ଆଷ୍ଟ୍ରୋଟର୍ଫ ପଡ଼ିଆ ହେବ। ଏକସାଙ୍ଗେ ପ୍ରାୟ ୨୦ ହଜାର ଦର୍ଶକ ଷ୍ଟାଡିୟମରେ ବସି ଖେଳ ଉପଭୋଗ କରିପାରିବେ । ଏହା ସହିତ ଅଭ୍ୟାସ ପଡ଼ିଆ, ଅତ୍ୟାଧୁନିକ ଫିଟନେସ୍ ସେଣ୍ଟର, ଅତ୍ୟାଧୁନିକ ସ୍ପୋର୍ଟସ୍ ଲାଇଟ୍ ଏବଂ ପାର୍କିଂ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ ।