ରାଉରକେଲା: ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଛନ୍ଦି ହୋଇଛନ୍ତି ବୀରେନ୍ଦ୍ର ଲାକ୍ରା । ଏଥର ନ୍ୟାୟ ମିଳିବା ନେଇ ଆଶାୟୀ ଆନନ୍ଦଙ୍କ ବାପା । ଆନନ୍ଦ ଟପ୍ପୋ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅନ୍ତର୍ଜାତୀୟ ହକି ଷ୍ଟାର ବୀରେନ୍ଦ୍ର ଲାକ୍ରା ତାଙ୍କ ପୁଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଆନନ୍ଦଙ୍କ ବାପା । ତେବେ ଆନନ୍ଦ ଟପ୍ପୋ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବାସହ ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋ ତାଙ୍କ ପୁଅର ଅକାଳ ବିୟୋଗ ପାଇଁ ନ୍ୟାୟ ପାଇଁ ଆବେଦନ କରିବା ପରେ କୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଟପ୍ପୋ ପରିବାର ଦ୍ବାରା ହତ୍ୟା ଅଭିଯୋଗରେ ଖ୍ୟାତନାମା ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ସମ୍ପୃକ୍ତି ଯୋଗୁଁ ଏହି ମାମଲା ଆହୁରି ଚର୍ଚ୍ଚାକୁ ଆସିଛି । ତେବେ ପୂର୍ବରୁ ବୀରେନ୍ଦ୍ରଙ୍କୁ ପୋଲିସ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ କରି ହାଇକୋର୍ଟରେ ନିରପେକ୍ଷ ତଦନ୍ତ ପାଇଁ ଆବେଦନ କରିଥିଲେ ଆନନ୍ଦଙ୍କ ବାପା । ହାଇକୋର୍ଟଙ୍କ ରାୟରେ ଡିଆଇଜି ପାହ୍ୟାର ଜଣେ ବରିଷ୍ଠ ପୋଲିସ ଅଧିକାରୀ ତଦନ୍ତର ନେତୃତ୍ବ ନେବେ । ଘଟଣାର ସମସ୍ତ ଦିଗର ପୁଙ୍ଖାନୁପୁଙ୍ଖ ଯାଞ୍ଚ ସୁନିଶ୍ଚିତ କରିବେ ବୋଲି ନିର୍ଦ୍ଦେଶ ରହିଛି । ବନ୍ଧନ ଟପ୍ପୋଙ୍କ ଆବେଦନକୁ ବିଚାର କରି ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ । ନିରପେକ୍ଷ ତଦନ୍ତର ଆବଶ୍ୟକତା ଉପରେ କୋର୍ଟ ଗୁରୁତ୍ବାରୋପ କରିବା ସହ ଏକ ସ୍ବାଧୀନ ତଦନ୍ତକାରୀ ସଂସ୍ଥା ଭାବେ କ୍ରାଇମବ୍ରାଞ୍ଚକୁ ଏହି ଦାୟିତ୍ବ ଦେବାପାଇଁ ନିଷ୍ପତି ନେଇଛନ୍ତି । କେବଳ ସେତିକି ନୁହେଁ, ବୀରେନ୍ଦ୍ର ଲାକ୍ରା ଜଣେ ଡିଏସ୍ପି ରାଙ୍କର ପଦବୀରେ ଥିବାବେଳେ ତାଙ୍କଠାରୁ ଉଚ୍ଚ ପାହ୍ୟାର ଜଣେ ଅଧିକାରୀ ତଦନ୍ତର ନେତୃତ୍ବ ନେବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଏହି ନିର୍ଦ୍ଦେଶ ପରେ ନ୍ୟାୟ ମିଳିବା ନେଇ ଏକ ଆଶା ଉଜ୍ଜୀବିତ ହୋଇଥିବା କହିଛନ୍ତି ଆନନ୍ଦଙ୍କ ବାପା । ଏହି ତଦନ୍ତରେ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ସହ ଜଡିତ ସମସ୍ତ ଦିଗକୁ ସାମିଲ କରାଯିବ । ଅଧିକାରୀ ଅତି ସତର୍କତାର ସହ ଦସ୍ତାବିଜ, ରେକର୍ଡ, କେସ୍ ଡାଏରୀ ଏବଂ ଅନ୍ୟ ସମସ୍ତ ପ୍ରାସଙ୍ଗିକ ପ୍ରମାଣକୁ ଏକାଠି କରି ନିରପେକ୍ଷ ତଦନ୍ତ କରିବେ । ଯେଉଁ ଘଟଣାବଳୀକୁ ନେଇ ଆନନ୍ଦଙ୍କର ଦୁଃଖଦ ମୃତ୍ୟୁ ଘଟିଥିଲା, ସେନେଇ ଖୁବଶୀଘ୍ର ପରଦା ହଟିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ବନ୍ଧନ ଟପ୍ପୋ । ଏହି ହାଇପ୍ରୋଫାଇଲ୍ ହତ୍ୟା ମାମଲାରେ ଅଲିମ୍ପିଆନ୍ ହକି ଖେଳାଳୀ ବୀରେନ୍ଦ୍ର ଲାକ୍ରା ଏବଂ ତାଙ୍କ ବାନ୍ଧବୀଙ୍କ ହାତ ଥିବା ଅଭିଯୋଗ କରିଆସିଛନ୍ତି ଆନନ୍ଦ ଟପ୍ପୋଙ୍କ ପରିବାର ।