ସୁନ୍ଦରଗଡ଼: ଜିଲ୍ଲାର ସମସ୍ତ ସରକାରୀ ହାଇସ୍କୁଲ ସଂପୂର୍ଣ୍ଣ ନୂଆ ରୂପ ନେବାକୁ ଯାଉଛି । ଏଥିପାଇଁ ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ ଅଧୀନରେ ରୂପାନ୍ତରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରଣ ହେବାକୁ ଥିବା ହାଇସ୍କୁଲ ମଧ୍ୟରୁ ୪୦ଟି ସ୍କୁଲର ସମୀକ୍ଷା କରାଯାଇଛି । ଶନିବାର ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ସମୀକ୍ଷା କରିଛନ୍ତି ।
ଏହି ଅବସରରେ ହାଇସ୍କୁଲ ରୂପାନ୍ତରଣ ଲାଗି ପ୍ରସ୍ତୁତ ଜିଲ୍ଲାସ୍ତରୀୟ ‘ଭିଜନ ଡକ୍ୟୁମେଣ୍ଟ’ ଉନ୍ମୋଚିତ ହୋଇଥିଲା । ଏଥିରେ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ସହିତ ଏହାକୁ କିପରି ସଫଳତାର ସହ କାର୍ଯ୍ୟକାରୀ କରାଯିବ ସେ ନେଇ ମାର୍ଗଦର୍ଶନ ପ୍ରସ୍ତୁତ କରାଯାଇଛି । ସେହିପରି ପ୍ରତ୍ୟେକ ବିଦ୍ୟାଳୟର ମାଇକ୍ରୋ ପ୍ଲାନ୍ ମଧ୍ୟ ପ୍ରସ୍ତୁତ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଓସ୍ୱାନ ଭିଡିଓ କନଫରେନ୍ସିଂ ହଲଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ହାଇସ୍କୁଲ ରୂପାନ୍ତରଣ ଲାଗି ସରକାରଙ୍କୁ ଧନ୍ୟବାଦ ଦେବା ସହିତ ଏହାର ସଫଳ ରୂପାୟନ ପାଇଁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ ।
ସମୀକ୍ଷା ବେଳେ ୫-ଟି ସଚିବ ସମସ୍ତ ସ୍କୁଲ ସହ ସିଧାସଳଖ କଥାବାର୍ତ୍ତା କରିଥିଲେ । ସୁନ୍ଦରଗଡ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି କାର୍ଯ୍ୟକ୍ରମ ବେଳେ ବିଡିଓଙ୍କ ସହ ବ୍ଲକ ଶିକ୍ଷା ଅଧିକାରୀ, ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ, ପଞ୍ଚାୟତିରାଜ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ୫-ଟି ଅଭିଯାନ ଅଧୀନରେ ଜିଲ୍ଲାର ସମସ୍ତ ୩୮୩ଟି ସରକାରୀ ହାଇସ୍କୁଲକୁ ସାମିଲ କରାଯାଇଛି । ତା’ ଭିତରୁ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ହାଇସ୍କୁଲଗୁଡ଼ିକର ରୂପାନ୍ତରଣ ବିଷୟରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି।