ସୁନ୍ଦରଗଡ:ରାଉରକେଲା ସହରରେ କୋରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ଦ୍ରୁତ ଟୀକାକରଣ ଉପରେ ଗୁରୁତ୍ବ ଦିଆଯାଉଛି। ତେଣୁ ବରିଷ୍ଠ ନାଗରିକ ଓ ଯୁବ ବର୍ଗଙ୍କ ସହ ସଂକ୍ରମଣର ଅଧିକ ଆଶଙ୍କା ଥିବା ବ୍ୟକ୍ତି ଏବଂ ଭିନ୍ନକ୍ଷମ ଆଦି ବର୍ଗ ଉପରେ ଧ୍ୟାନ ଦିଆଯାଉଛି। ପ୍ରଶାସନର ଟିକା ରଣନୀତି ପାଇଁ ବର୍ତ୍ତମାନ ସୁଦ୍ଧା ସହରର ବିଭିନ୍ନ ବର୍ଗରେ ୫୦ ପ୍ରତିଶତ ହିତାଧିକାରୀଙ୍କୁ ମିଳିଲାଣି ପ୍ରଥମ ଡୋଜ ଟିକା। ଆଗାମୀ ଦିନରେ ଯେତିକି ପରିମାଣର ଟିକା ଆସିବ ସେହି ଅନୁଯାୟୀ ଟୀକାକରଣ ବ୍ୟବସ୍ଥାକୁ ପ୍ରଭାବୀ କରିବାକୁ ଉଦ୍ୟମ କରାଯିବ ବୋଲି ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି।
ଗତ କିଛି ଦିନ ମଧ୍ୟରେ ରାଉରକେଲାରେ ଟୀକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇଥିଲା। ୧୮-୪୪ ବର୍ଷ ବର୍ଗରେ ଅଧିକ ହିତାଧିକାରୀ ରହିଥିବାରୁ ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଥିଲା। ସେହିପରି ସଫେଇ କର୍ମଚାରୀ, ଭିନ୍ନକ୍ଷମ ହିତାଧିକାରୀ, ବସ୍ତିରେ କାର୍ଯ୍ୟ କରୁଥିବା ମହିଳା ଆରୋଗ୍ୟ ସମିତିର ସଦସ୍ୟ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ପାଇଁ ଅଲଗା ଟୀକାକରଣ ବ୍ୟବସ୍ଥା କରାଯାଇଥିଲା। ଟୀକାକରଣକୁ ପ୍ରଭାବୀ କରିବା ସହ ସ୍ବଚ୍ଛତା ବଜାୟ ରଖିବା ଲାଗି ଅନଲାଇନ୍ ପଞ୍ଜୀକରଣକୁ ପ୍ରାଧାନ୍ୟ ଦିଆଯାଉଛି।