ରାଉରକେଲା: ରେଳବାଇ ପୋଲିସ ରାଉରକେଲା ଷ୍ଟେସନରୁ ପାଖାପାଖି 18 ଶ୍ରମିକଙ୍କୁ ଉଦ୍ଧାର କରିଛି । ଷ୍ଟେସନରେ ବସି ସେମାନେ କାନ୍ଦୁଥିବା ବେଳେ ପୋଲିସର ସନ୍ଦେହ ହେବାରୁ ସେମାନଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଥିଲା । ଏହାପରେ ପୂରା ଘଟଣା ସମ୍ନାକୁ ଆସିଛି।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା ଉଦ୍ଧାର ଶ୍ରମିକମାନେ ସମସ୍ତେ ବିହାରର ବାସିନ୍ଦା। ଶ୍ରମିକ ମାନଙ୍କ ଅଭିଯୋଗ ଅନୁସାରେ ଜିଆରପି ଏ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ବୀରମିତ୍ରପୁର ପୋଲିସକୁ ସୂଚନା ଦେଇଛି ।
ଉଦ୍ଧାର ହୋଇଥିବା ଶ୍ରମିକଙ୍କ ସୂଚନାନୁସାରେ, ବିହାରର ସନ୍ତୋଷ ଯାଦବ ନାମକ ଏକ ଦଲାଲ ଠିକାଦାର ସେମାନଙ୍କୁ କାମ ଦେବା ପାଇଁ ବିହାରରୁ ଆଣି କୁଆରମୁଣ୍ଡାର ଦୁର୍ଗାଚଣ୍ଡୀ ନାମକ ଏକ ସ୍ପଞ୍ଜ ଆଇରନ ଫ୍ୟାକ୍ଟ୍ରିରେ ନିୟୋଜିତ କରେଇଥିଲେ। ତେବେ 7 ଦିନରୁ ଉର୍ଦ୍ଧ୍ବ କାମ କଲା ପରେ ସେମାନେ ନିଜର ପାଉଣା ମାଗିବାରୁ ଫ୍ୟାକ୍ଟ୍ରି ମାଲିକ ଠିକାଦାର ସନ୍ତୋଷକୁ ପାଉଣା ଟଙ୍କା ଦିଆଯାଇଥିବା କହିଥିଲେ। ତେବେ ଶ୍ରମିକ ମାନେ ସନ୍ତୋଷକୁ ଖୋଜିଥିଲେ ମାତ୍ର ସେ ସେଠାରୁ ଫେରାର ହେଇଯାଇଥିଲା।
ଫ୍ୟାକ୍ଟ୍ରିରେ 60 ରୁ 70 ଜଣଙ୍କୁ ଏଭଳି କାମରେ ନିୟୋଜିତ କରାଯାଇଥିବାର କହିଛନ୍ତି ଶ୍ରମିକ। ତେବେ ପଇସା ନଥିବାରୁ ଭୋକ ଉପାସରେ କୁଆରମୁଣ୍ଡାରୁ ଦୀର୍ଘ 40 କିଲୋମିଟର ରୁ ଉର୍ଦ୍ଧ ଚାଲି ଚାଲି ନିଜ ଗାଁକୁ ଫେରିବା ପାଇଁ ରାଉରକେଲା ଷ୍ଟେସନ ପହଞ୍ଚିଥିଲେ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ